ଜଗତସିଂହପୁର ଏସଭିଏମ୍‌ କଲେଜ ପରିସରରେ ୧୪୪ ଧାରା ଜାରି, ସଙ୍ଗରୋଧ କେନ୍ଦ୍ରରେ ଥିବା‌ ପ୍ରବାସୀ ସାମାଜିକ ଦୂରତା ନ ମାନିବା ପରେ ଜନଅସନ୍ତ‌ୋଷ

ଜଗତସିଂହପୁର: ଜଗତସିଂହପୁର ଏସଭିଏମ୍‌ କଲେଜ ପରିସରରେ ଶୁକ୍ରବାର ୧୪୪ ଧାରା ଲାଗୁ କରାଯାଇଛି। ଏସ୍‌ଭିଏମ୍‌ କଲେଜର ମୁଖ୍ୟଫଟକଠାରୁ ୧୦୦ ମିଟର ଭିତରେ କୌଣସି ବ୍ୟବସାୟୀ ଦୋକାନ ଖୋଲି ପାରିବେ ନାହିଁ। ସାମାଜିକ ଦୂରତାକୁ କଡାକଡ଼ି କରାଯିବା ସହ ବାହାରକୁ ପ୍ରବାସୀଙ୍କୁ ଛଡା ଯିବା ଉପରେ ମଧ୍ୟ ରୋକ ଲଗାଯାଇଛି। ଜଗତସିଂହପୁର ଜିଲ୍ଲାପାଳ ୧୪୪ ଧାରା ଲାଗୁ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଏସଭିଏମ୍‌ କଲେଜ ପରିସରରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ନିୟମକୁ ଖୋଲାଖୋଲି ପ୍ରବାସୀ ଉଲଘଂନ କରୁଥିବା ଦେଖିବାକୁ ମିଳିଥିଲା। କାହାରି କଥା ନଶୁଣି ସଙ୍ଗରୋଧ କେନ୍ଦ୍ରରୁ ସକାଳୁ କଲେଜ ଛକ ବଜାରକୁ ଆସି ବିଭିନ୍ନ ଦୋକାନରେ ପ୍ରବାସୀମାନେ ଭିଡ଼ ଜମାଉଛନ୍ତି।

ଏମିତିକି ମିଠା ଦେକାନାରୁ ଜଳଖିଆ କିଣି ମଧ୍ୟ ଖାଉଥିବା ଦେଖିବାକୁ ମିଳିଛି। ସଙ୍ଗରୋଧ କେନ୍ଦ୍ର ଭିତରେ ମଧ୍ୟ ପ୍ରବାସୀମାନେ ମେଳମେଳ ହୋଇ ବୁଲୁଛନ୍ତି, ଯିଏ ଯେତେବେଳେ ପାରୁଛି ଭିତରକୁ ଯାଉଛି ବାହାରକୁ ବାହାରୁଛି । ଫାଟକରେ ସୁରକ୍ଷା ବ୍ୟବସ୍ଥା ଢ଼ିଲା ଥିବା ଯୋଗୁଁ ଏଭଳି ସାଂଘାତିକ ସ୍ଥିତି ଉପୁଜୁଥିବା ନେଇ ସ୍ଥାନୀୟଲୋକ ବିରୋଧ କରିଛନ୍ତି।

ଜଗତସିଂହପୁର ଜିଲ୍ଲାରେ ଆଜି ସୁଦ୍ଧା ପ୍ରାୟ ୨୫୦୦ ପ୍ରବାସୀ ଆସି ସାରିଲେଣି । ପ୍ରଥମେ ସେମାନଙ୍କୁ ଏସଭିଏମ୍ କଲେଜ ପରିସରକୁ ଅଣାଯାଇ ପଞ୍ଜିକରଣ କରିବା ପରେ ପଞ୍ଚାୟତ ସ୍ତରରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠା ଯାଉଛି । ହେଲେ ସେଠାରେ ସେମାନେ କୌଣସି ପ୍ରକାର ସଙ୍ଗରୋଧ ନିୟମକୁ ପାଳନ କରୁ ନଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏସଭିଏମ୍‌ କଲେଜ ପରିସରରେ ୧୪୪ ଧାରା ଜାରି କରାଯାଇଛି।

ସମ୍ବନ୍ଧିତ ଖବର