ଭଦ୍ରକର ପୁରୁଣା ବଜାରରେ ୧୪୪ ଧାରା ଜାରି, ଶୋଭାଯାତ୍ରା ବେଳେ ଉତ୍ତେଜନା

ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, ଠେଲାପେଲାବେଳେ ୨ ପୁଲିସ କର୍ମଚାରୀ ଆହତ

ଭଦ୍ରକ: ଭଦ୍ରକର ପୁରୁଣା ବଜାର ଅଞ୍ଚଳର ରାଜନୀତି ଏବେ ଉଷ୍ମ ହୋଇଛି। ଗତ ଦୁଇ ଦିନ ତ‌ଳେ ୧୪ ନମ୍ବର ୱାର୍ଡର ସ୍ବାଧୀନ କାଉନସିଲର ଯାଜପୁର ଜିଲ୍ଲାର ଧର୍ମଶାଳାଠାରେ ବିଜେଡିରେ ମିଶିବା ଖବର ପ୍ରଚାରିତ ହେବା ପରେ ପୁରୁଣାବଜାର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସଂପୃକ୍ତ କାଉନସିଲରଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ଆଜି ଏହି କାଉନସିଲରଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମାରେ ବାହାରିଥିଲା। ଶୋଭାଯାତ୍ରା ଆରମ୍ଭ ପରେ ପରେ ଆରମ୍ଭ ହୋଇଯାଇଥିଲା ଦୁଇ ଗୋ‌ଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ‌କେହି କାହାକୁ ଛାଡିବାର ନ ଥିଲେ। ଶୋଭାଯାତ୍ରାରେ ଯାଉଥିବା କାଉନସିଲର ଓ ତାଙ୍କ ସମର୍ଥକକୁ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ। ବିରୋଧ କରୁଥିବା ଗ୍ରାମବାସୀଙ୍କ ଦାବି ଆମେ ସ୍ବାଧୀନରେ ତମକୁ ଭୋଟ ଦେଇ ଜିତାଇଲୁ । କିନ୍ତୁ ତୁମେ ଆମକୁ ନଜଣାଇ ବିଜେଡିରେ ମିଶିଲ କାହିଁକି। ଏଭଳି ପ୍ରତିବାଦ କରି ଆଜି ପୁରୁଣାବଜାର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଠେଲାପେଲା ,ମାଡପିଟ ହୋଇଥିଲା।

ଏହି ଘଟଣାରେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିବାବେଳେ ଗଣ୍ଡ‌ଗୋଳକାରୀଙ୍କ ମଧ୍ୟରୁ ମଧ୍ୟ କିଛି ଲୋକ ଆହତ ହୋଇଛନ୍ତି। ପୁଲିସର ଉପସ୍ଥିତିରେ ଶୋଭଯାତ୍ରା ଚାଲିଥିବା ବେଳେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃ‌ଷ୍ଟି ହୋଇଥିଲା। ବିବାଦ ଏତେ ଉଗ୍ର ହୋଇଥିଲା ଯେ, ପୁଲିସକୁ ମଧ୍ୟ ଲାଠି ଧରି ଗୋଡାଇବାକୁ ପଡିଥିଲା। ତଥାପି ବିରୋଧକାରୀମାନେ ଛତ୍ର ଭଙ୍ଗ ଦେଇନଥିଲେ। ପରିସ୍ଥିତି ଅଧିକ ଜଟିଳ ‌ହେବାରୁ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ପୁରୁଣାବଜାର ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି। ଆଜି ସଂଧ୍ୟା ସାଢେ ସାତଟାରୁ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି।

ପୁରୁଣାବଜାର ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ପରେ ସହରର ଦୋକାନ ବଜାର ବନ୍ଦ ହୋଇଯାଇଛି। ଏହି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୭ ପ୍ଲାଟୁନ୍ ପୁଲିସ ଫୋର୍ସ, ୨୦ ଜଣ ଅଫିସରଙ୍କ ସହ ଆଡିସନାଲ ଏସପି ଉପସ୍ଥିତ ଅଛନ୍ତି | ବିଭିନ୍ନ ଛକ ସ୍ଥାନରେ ପୁଲିସ ପଇଁତରା ମାରୁଛି। ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ସ୍ତରରେ ପୁରୁଣାବଜାର ଅଞ୍ଚଳରେ ନେଇ ରୁଦ୍ଧଦ୍ବାର ବୈଠକ ଚାଲିଛି। ସାରା ପୁରୁଣାବଜାର ଅଞ୍ଚଳରେ ପୁଲିସ ଛାଉଣି ହୋଇଥିଲେ ମଧ୍ୟ ଭିତରେ କିନ୍ତୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଲୋକଙ୍କ ଭିତରେ ଥିବା ଉତ୍ତେଜନା କେଉଁ ପରିସ୍ଥିତି ସୃଷ୍ଟି କରିବ ତାହା କହି ହେଉ ନାହିଁ। ସେଥିପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ଏହି ଅଞ୍ଚଳ ଉପରେ ତୀକ୍ଷ୍ମଣ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର