କହ୍ନେଇଛାପର ଗାଁ ନିକଟ ଡୁଙ୍ଗୁରିରେ ଲାଗିଲା ୧୪୪

ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା କହ୍ନେଇଛାପର ଗାଁ ନିକଟ ଡୁଙ୍ଗୁରିରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ପ୍ରକାଶ ଯେ, ଉକ୍ତ ଡୁଙ୍ଗୁରିରେ ରାଷ୍ଟ୍ରୀୟ ବୁଦ୍ଧ ମହାସଭା ପାଟଣାଗଡ଼ ୟୁନିଟ ଏବଂ ଗ୍ରାମର ଦଳିତ ସମ୍ପ୍ରଦାୟର ଯୁବକମାନଙ୍କ ମିଳିତ ସହଯୋଗରେ ବୁଦ୍ଧ ବିହାର ନିର୍ମାଣ ପାଇଁ ଗତ ୪ ତାରିଖ ଦିନ ସଫେଇ କରାଯାଉଥିଲା।

ଏହାକୁ ଗାଁର ଅନ୍ୟଏକ ଗୋଷ୍ଠୀ ବିରୋଧ କରି ସେଠାରେ ଏକ ଶିବ ମନ୍ଦିର ନିର୍ମାଣ ହେବ ବୋଲି କହିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବାରୁ ମାମଲା ଥାନାକୁ ଯାଇଥିଲା। ସେଠାରେ ପରିସ୍ଥିତି ଉତ୍ତେଜନାମୂଳକ ହେବାରୁ ପ୍ରଶାସନ ଡୁଙ୍ଗୁରିର ଚାରିପଟେ ୧୪୪ ଧାରା ଜାରି କରିଛି। ଏହି ବିବାଦୀୟ ଖବର ପାଇ ରାଷ୍ଟ୍ରୀୟ ବୁଦ୍ଧ ମହାସଭାର ମହାସଚିବ ମହେଶ୍ୱର ଷାଣ୍ଢ, ରାଷ୍ଟ୍ରୀୟ ବୁଦ୍ଧ ମହାସଭା ଓଡ଼ିଶା ଶାଖା ସଭାପତି, ଏମ୍‌. ଆର୍‌. ପ୍ରଶାନ୍ତ, ବୁଦ୍ଧ ମହାସଭା ବଲାଙ୍ଗୀର ଜିଲ୍ଲା ସଂଯୋଜକ ନେପାଳେଶ୍ୱର ତାଣ୍ଡି ପ୍ରମୁଖ କହ୍ନେଇଛାପର ଗାଁକୁ ଯାଇ ଉଭୟ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଏହି ଦଳ ସ୍ଥାନୀୟ ବିଧାୟକ, ଏସ୍‌ଡିପିଓଙ୍କୁ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର