କାଳିଆପାଣି ଖଣି ଅଞ୍ଚଳରେ ୧୪୪: ବିଜେଡି ସମର୍ଥିତ ଶ୍ରମିକସଂଘର ବନ୍ଦ ଡାକରା

ବିଜେପିର ଧନ୍ୟବାଦ ସମାବେଶ ଆଜି

କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ କାଳିଆପାଣି ଖଣି ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଆଜି ବିଜେଡି ସମର୍ଥିତ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ଡାକରାରେ ବନ୍ଦ ପାଳିତ ହୋଇଥିବା ବେଳେ ଆସନ୍ତାକାଲି ବିଜେପି ପକ୍ଷରୁ ଧନ୍ୟବାଦ ସମାବେଶ ରହିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଆଜି ବିଜେଡି ସମର୍ଥିତ ମଜଦୁର ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଆଜି ବନ୍ଦ ଡାକରା ଯୋଗୁଁ ଓଡ଼ିଶା ଖଣି ନିଗମ, ଟାଟାଷ୍ଟିଲ, ବେଦାନ୍ତ-ଫେକର, ଇମ୍ଫା, ବାଲେଶ୍ବର ଆଲଏଜ୍ ଓ ଜିନ୍ଦଲ ଷ୍ଟେନଲେସ୍ ଖଣି କର୍ତ୍ତୃପକ୍ଷଙ୍କ ମାଲିକାନାରେ ଥିବା ସମସ୍ତ ୧୦ କ୍ରିୟାଶୀଳ ଖଣିରେ ଖନନ କାର୍ଯ୍ୟ ବନ୍ଦ ରହିଥିଲା। ଅଧିକାଂଶ କର୍ମଚାରୀ ଓ ଶ୍ରମିକ ଖଣିକୁ ଆସିନଥିଲେ। କ୍ରୋମାଇଟ୍ ପରିବହନ ପାଇଁ ସକାଳୁ ଇମ୍ଫା ଖଣିରେ ପ୍ରବେଶ କରିଥିବା ୫୦ ରୁ ଅଧିକ ଟ୍ରକ୍ ବୋଝେଇ ପରେ ସଂଧ୍ୟାରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲେ। ଦୋକାନ ବଜାରରେ ବନ୍ଦର ମିଶ୍ର ପ୍ରଭାବ ଦେଖିବାକୁ ମିଳିଥିଲା।

ସଡ଼କରେ ସ୍ବାଭାବିକ ଯାନବାହନ ଚଳାଚଳ କରୁଥିଲା। କେଉଁଠି ରାସ୍ତା ଅବରୋଧ କରାଯାଇ ନଥିଲା। ଅନ୍ୟପକ୍ଷରେ, ଆସନ୍ତାକାଲି ମଙ୍ଗଳବାର ଶାସକ ବିଜେପି ପକ୍ଷରୁ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତଙ୍କ ଉପସ୍ଥିତିରେ କାଳିଆପାଣି ସୌରିକ ଦୁର୍ଗାପଡ଼ିଆରେ ଧନ୍ୟବାଦ ସମାବେଶ ପାଇଁ ଜୋରଦାର୍ ପ୍ରସ୍ତୁତି ହୋଇଛି। ଉଭୟପକ୍ଷ ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଅଣ୍ଟା ଭିଡ଼ୁଥିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଲିସ ପକ୍ଷରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ଏବଂ ଖଣିଅଞ୍ଚଳରେ ରାତିଅଧିଆ ୧୪୪ ଧାରା ଘୋଷଣା କରାଯାଇଛି।

ଏନେଇ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରମିକସଂଘ କାର୍ଯ୍ୟାଳୟରେ ପଶି ଶ୍ରମିକନେତାଙ୍କୁ ଆକ୍ରମଣ ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ଆହ୍ବାନ ଦିଆଯାଇଥିଲା। ତେଣୁ ରାତିଅଧିଆ ୧୪୪ ଧାରା ଲାଗୁ କରାଯିବା ନ୍ୟାୟ ଦାବି କରୁଥିବା ଶ୍ରମିକଙ୍କ କଣ୍ଠରୋଧ ବୋଲି ଶ୍ରମିକସଂଘ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର