ହାଟଡିହି: ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକରେ ସୀମା ବିବଦକୁ କେନ୍ଦ୍ରକରି ଆପଣ୍ଡା ଓ ଓରାଳି ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ, ଗୃହଦାହ ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲିଠାରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ପ୍ରଶାସନ ଏହି ପଦକ୍ଷେପ ପରେ ଓରାଳି ଛକ ଆଜି ଶୂନସାନ୍ ହୋଇଯାଇଛି। ଦୋକାନ ବନ୍ଦ ଥିବା ବେଳେ କାଁଭାଁ କୌଣସି ଲୋକ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାରେ ବନ୍ତ ଥାନା ପୁଲିସ ଆପଣ୍ଡା ଗ୍ରାମର କାଶିନାଥ ନାୟକଙ୍କ ଅଭିଯୋଗ ଆଧାରରେ କେସ ନମ୍ବର-୫୪/୨୩ରେ ଏକ ମାମଲା ରୁଜୁ କରି ଗତକାଲି ଓରାଳି ଗ୍ରାମର ଗୌରହରି ରାଉତ, ଶିବ ପ୍ରସାଦ ରାଉତ, ଶୁଭମ ରାଉତ, ତୋଫାନ ଭୋଇ, ବୃନ୍ଦାବନ ଜେନାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେହିପରି ଓରାଳି ଗ୍ରାମର ଭୀମସେନ ଜେନାଙ୍କ ଅଭିଯୋଗ ଆଧାରରେ କେସ୍ ନମ୍ବର ୫୫/୨୩ରେ ଏକ ମାମଲା ରୁଜୁ କରି ଆଜି ଆପଣ୍ଡା ଗ୍ରାମର କୋଦଣ୍ଡଧର ଜେନା, ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ଗ୍ରାମର ଲୋକଙ୍କୁ ନେଇ ଶାନ୍ତି କମିଟି ଗଠନ କରାଯିବା ସହିତ ଉଭୟ ଗ୍ରାମରେ ଶାନ୍ତି ଫେରାଇ ଆଣିବାପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି।
ସୂଚନାଯୋଗ୍ୟ, ଓରାଳିଛକର ସୀମା ବିବାଦକୁ କେନ୍ଦ୍ରକରି ଶନିବାର ରାତିରେ ଓରାଳି ଓ ଆପଣ୍ଡା ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ପୋଡ଼ାଜଳା ଓ ଲୁଟ୍ତରାଜ କରିଥିଲେ। ଓରାଳି ସରପଞ୍ଚଙ୍କ ପରିବାର ଲୋକେ ଜୀବନ ବଞ୍ଚାଇବା ପାଇଁ ଘର ଛାଡ଼ି ପଳାଇବାରୁ ଉତ୍ତ୍ୟକ୍ତ ଲୋକେ ତାଙ୍କ ଘର ଭାଙ୍ଗି ଲୁଟ୍ କରିବା ପରେ ଘରେ ନିଆଁ ଲଗାଇ ଦେଇଥିଲେ।