ଯୋଡ଼ାରେ ୧୪୪ ଧାରା କୋହଳ କଲା ପ୍ରଶାସନ: ସ୍ୱାଭାବିକ ହେଉଛି ଜୀବନଯାତ୍ରା

ଦିନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ଯୋଡ଼ା: ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ସ୍ଥିତି ଧୀରେ ଧିୀରେ ସୁଧୁରିବାକୁ ଲାଗିଛି। ସହରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରାରେ କୋହଳ କରାଯାଇଛି। ଜିନିଷପତ୍ର କିଣାବିକା ପାଇଁ ଆଜି ଦିନ ୧୦ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୋହଳ କରାଯାଇଥିବା ନେଇ ଡାକବାଜି ମାଧ୍ୟମରେ ପ୍ରଚାର କରି ଲୋକଙ୍କୁ ସୂଚନା ଦିଆଯାଇଥିଲା। ତେବେ ସଂଧ୍ୟା ୫ଟାରୁ ଆସନ୍ତାକାଲି ଦିନ ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ସଂପୂର୍ଣ୍ଣ ବଳବତ୍ତର ରହିବ ବୋଲି କୁହାଯାଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୁଣି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ବଡ଼ବିଲ ଅତିରିକ୍ତ ଏସପି ସୁଦାମ ଚରଣ ସାହୁ ସୂଚନା ଦେଇଛନ୍ତି। ସହରରେ ୧୪୪ ଧାରାକୁ କୋହଳ କରାଯିବା ପରେ ବଜାରରେ ଛୋଟ ବଡ଼ ବ୍ୟବସାୟୀମାନେ ଧୀରେ ଧୀରେ ଦୋକାନ ଖୋଲୁଥିବା ଦେଖିବାକୁ ମିଳିଛି। ଲୋକେ ମଧ୍ୟ ଘରୁ ବାହାରି ଅତ୍ୟାବଶ୍ୟକ ଜିନିଷ କିଣାକିଣି କରୁଛନ୍ତି। ସେପଟେ ଶାନ୍ତି ବଜାୟ ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ତଦାରଖ କରୁଛନ୍ତି। ପ୍ରଶାସନକୁ ସହଯୋଗ କରିବାପାଇଁ ଜନସାଧାରଣଙ୍କୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ।

ଯୋଡା ସହରରେ ରାମ ନବମୀ ଝଣ୍ତାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଫଳରେ ଉତ୍ତେଜନା ଲାଗି ରହିଛି। ଗତକାଲି ରାତିରେ ପୁଣି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଦୁଇଗୋଷ୍ଠୀ ଢ଼େଲାପଥର ମାଡ଼ କରିଥିଲେ। ସେପଟେ ପୁଲିସ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ସଂଘର୍ଷ ହେତୁ ସହରରେ ୧୪୪ ଧାରା ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର