କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ୧୪୪୩ ସରକାରୀ ଚାକିରିଆ ହାତେଇଛନ୍ତି ରାସନ କାର୍ଡ। ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ (ଏଚ୍ଆର୍ଏମ୍ଏସ୍)ରୁ ଏଭଳି ତଥ୍ୟ ଧରାପଡ଼ିଛି। ଏହି ରିପୋର୍ଟ ଆସିବା ପରେ ଜିଲ୍ଲା ଯୋଗାଣ ବିଭାଗ ସମ୍ପୃକ୍ତ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ କାଟିବା ପ୍ରକ୍ରିୟା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୨୭ଜଣ ଚାକିରିଆଙ୍କ କାର୍ଡ କଟା ସରିଲାଣି। ଜିଲ୍ଲାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳୁନଥିବା ବେଳେ ସରକାରଙ୍କ ବେତନ ପାଉଥିବା ଚାକିରିଆମାନେ ବେଆଇନ ଭାବେ କାର୍ଡ ହାତେଇ ମାସକୁ ମାସ ପିଡିଏସ୍ ସାମଗ୍ରୀ ଉଠାଉଛନ୍ତି।
ଯୋଗାଣ ବିଭାଗ ତଥ୍ୟ କହୁଛି, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୧ଲକ୍ଷ ୯୮ହଜାରରୁ ଅଧିକ ରାସନ କାର୍ଡ ହିତାଧିକାରୀ ଅଛନ୍ତି। ଯୋଗ୍ୟ ଓ ଅଯୋଗ୍ୟଙ୍କୁ ବାଛିବା ପାଇଁ ଗତବର୍ଷ ଅଗଷ୍ଟ ୨୨ତାରିଖରୁ ରାଜ୍ୟ ସରକାର ଇ-କେଵାଇସି ପ୍ରକ୍ରିୟା ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାରେ ୮୮ପ୍ରତିଶତ ହିତାଧିକାରୀଙ୍କ ଯାଞ୍ଚ ସରିଲାଣି।
ଧରାଇ ଦେଲା ଏଚ୍ଆର୍ଏମ୍ଏସ୍
ହିତାଧିକାରୀ ତାଲିକାରେ ଓଏଏସ୍ ଅଫିସର୍, ଯନ୍ତ୍ରୀ, କିରାଣି
ଏହି ଯାଞ୍ଚରେ ୧୪୪୩ଜଣ ସରକାରୀ ଚାକିରିଆ ଧରାପଡ଼ିଲେଣି। ଚଳିତ ମାସ ୨୮ ତାରିଖ ସୁଦ୍ଧା ଏତିକି ଅଯୋଗ୍ୟ ବାହାରିଥିଲା ବେଳେ ଆଗକୁ ଏହି ସ˚ଖ୍ୟା ବଢ଼ିବାର ସମ୍ଭାବନା ରହିଛି। ରାସନ କାର୍ଡ ହାତେଇଥିବା ଏହି ସରକାରୀ ଚାକିରିଆ ତାଲିକାରେ ଓଏଏସ୍ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ, କିରାଣି, ପିଅନ, ହୋମଗାର୍ଡ ଆଦି ବିଭିନ୍ନ ବର୍ଗର କର୍ମଚାରୀ ଅଛନ୍ତି। ଅବସରପ୍ରାପ୍ତ ପେନ୍ସନଭୋଗୀ ବି’ ଏଥିରେ ରହିଛନ୍ତି। ଏହି ୧୪୪୩ ସରକାରୀ ଚାକିରିଆ ଓ ପେନ୍ସନ୍ଭୋଗୀ ପରିବାରର ୫୮୫୮ ସଦସ୍ୟ ପିଡିଏସ୍ ସାମଗ୍ରୀରେ ଉପକୃତ ହେଉଥିଲେ। ଜାନୁଆରି ୨୮ତାରିଖ ସୁଦ୍ଧା ୨୭ ପରିବାରର ୧୧୦ଜଣଙ୍କ ନାମ ତାଲିକାରୁ କଟାଯାଇଛି। ରାଜ୍ୟ ସରକାର ଜାନୁଆରି ୩୧ସୁଦ୍ଧା ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ହାତରେ ଗୋଟିଏ ଦିନ ଥିବାରୁ ଏହା ସମ୍ପୂର୍ଣ୍ଣ ହେଇପାରିବ ନାହିଁ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ କହିଛନ୍ତି। ସେ କହିଛନ୍ତି ଯେ ରିପୋର୍ଟ ଆଧାରରେ ସବୁ ବ୍ଲକ୍କୁ ତାଲିକା ପଠାଇ ଦିଆଯାଇଛି। ତୃଣମୂଳସ୍ତରର ତଥ୍ୟ ହାସଲ ପରେ କାର୍ଡ କଟାଯାଉଛି। ଏମ୍ଆଇଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ଏହା କରାଯାଉଛି। ଏଥିପାଇଁ ସମୟ ଲାଗୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/EtTSrTR7flQj5cxQtj2y.jpeg)