ମେକ୍ ଇନ୍ ଓଡ଼ିଶାର ପ୍ରଥମ ଦିନରେ ୧୪୫ଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ବିକାଶ ଓ ପୁଞ୍ଜି ନିବେଶକୁ ବ୍ୟାପକ କରିବା ଲକ୍ଷ୍ୟରେ ଆୟୋଜିତ  ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନରେ ଉତ୍ସାହଜନକ ବାର୍ତ୍ତା ସାମ୍ନାକୁ ଆସିଛି। ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ଯେ ଗୁରୁବାର  ସକାଳ ଜଳଖିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ୪୦ ଶିଳ୍ପପତି  ସାମିଲ ହୋଇଥିଲେ ଓ ୪ ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିଲେ  । କେବଳ ସେତିକି ନୁହେଁ,  ୫୪ ଜଣ ବିଶିଷ୍ଟ ଶିଳ୍ପପତି ମେକ୍ ଇନ୍ ଓଡ଼ିଶା ମଞ୍ଚରେ  ବସିଥିଲେ । କନକ୍ଲେଭର ପ୍ରଥମ ଦିନରେ ୨୦୦୦ ପ୍ରତିନିଧି ଯୋଗ ଦେଇଥିବା ବେଳେ  ଗୁରୁବାର ସମୁଦାୟ ୧୩ଟି ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଛି  ଓ ଏହି ସମ୍ମିଳନୀକୁ ୧୧ଟି ଦେଶରୁ ପ୍ରଦର୍ଶନୀ ପାଇଁ ଶିଳ୍ପଦ୍ୟୋଗୀମାନେ ଆସିଛନ୍ତି । ସମସ୍ତେ ଇଣ୍ଡଷ୍ଟ୍ରିଆଲ୍ ଏକ୍ସପୋରେ ଅଂଶଗ୍ରହଣ କରିଛନ୍ତି ।

ଅନ୍ୟପକ୍ଷରେ ପୁଞ୍ଜିନିବେଶ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କୁ ସଫଳତା ମିଳିଛି।  ମେକ୍ ଇନ୍ ଓଡ଼ିଶାର ପ୍ରଥମ ଦିନରେ ମୋଟ ୧୪୫ଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ଏହା ଜରିଆରେ ରାଜ୍ୟକୁ ୭ ଲକ୍ଷ ୨୬ ହଜାର ୧୨୮କୋଟି ୪୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ସାମିଲ ରହିଛି । ଏହା ଦ୍ୱାରା ୩ ଲକ୍ଷ ୨୦ ହଜାର ୭୪୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି । ସେଥିମଧ୍ୟରୁ ଗୁରୁବାର କେବଳ ପ୍ଲେନାରୀ ସେସନରେ ୬୭ଟି ପୁଞ୍ଜି ନିବେଶ ଆଗ୍ରହ ଜରିଆରେ ୫ ଲକ୍ଷ ୫୦ ହଜାର ୭୪୨ କୋଟି ୨୬ଲକ୍ଷ ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ଏହା ଜରିଆରେ ୨ ଲକ୍ଷ ୪୭ ହଜାର ୮୯୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିଭଳି ପୂର୍ବରୁ ବିଭିନ୍ନ ରୋଡ଼ ସୋ’ ଜରିଆରେ ମେକ୍ ଇନ୍ ଓଡ଼ିଶା ପାଇଁ ୭୮ଟି ନିବେଶ ଆଗ୍ରହ ଆସିଥିଲା, ଯାହାକି ଆଜି ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି ।  ଏହା ମାଧ୍ୟମରେ ରାଜ୍ୟକୁ ୧ ଲକ୍ଷ ୪୦ ହଜାର ୩୮୬କୋଟି ୧୯ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା ଓ ୭୨ ହଜାର ୮୪୯ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା ଆସିଛି ବୋଲି ଶିଳ୍ପ ସଚିବ ଶ୍ରୀ ଶର୍ମା ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର