୩ ମାସ ହେବ ପ୍ରକାଶ ପାଉନି ତାଲିକା, ପଦୋନ୍ନତି ଅପେକ୍ଷାରେ ୧୪୫ ବିଶେଷଜ୍ଞ ଡାକ୍ତର

କଟକ : ‌ରାଜ୍ୟର ବିଭିନ୍ନ ମେଡିକାଲର ୧୪୫ ବିଶେଷଜ୍ଞ ଡାକ୍ତର ଏବେ  ପଦୋନ୍ନତି ଅପେକ୍ଷାରେ। ତିନିମାସ ହେଲା ଡିପିସି (ବିଭାଗୀୟ ପଦୋନ୍ନତି କମିଟି) ବୈଠକ ସରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ତାଲିକା ପ୍ରକାଶ ପାଉନି। ଏହା ପ୍ରକାଶ ପାଇଲେ ପଦୋନ୍ନତି ଅପେକ୍ଷାରେ ଥିବା ସମସ୍ତ ମେଡିକାଲ କଲେଜର ବିଶେଷଜ୍ଞମାନେ ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସର ଭାବେ ପଦୋନ୍ନତି ପାଇବେ। ଯେଉଁଥିପାଇଁ ୧୪୫ଜଣଙ୍କ ତାଲିକା ରହିଛି। କିନ୍ତୁ କରୋନା ପାଇଁ ଏହି ଡିପିସି ଓ ପଦୋନ୍ନତି ପରେ ବଦଳି ତାଲିକା ପ୍ରକାଶ କରାଯାଉ ନଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ,  ଆସୋସିଏଟ୍ ପ୍ରଫେସର ତଥା ପ୍ରଫେସର ପଦବି  ପାଇଁ ମେଡିକାଲ୍ କଲେଜ ଶିକ୍ଷକ ବିଭାଗୀୟ ପଦୋନ୍ନତି ଫେବ୍ରୁଆରି ୨୦୨୧ରେ ରାଜ୍ୟ ସରକାରଙ୍କ (ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ) ଦ୍ୱାରା ପରିଚାଳିତ ଡିପିସି ଶେଷ ହୋଇଛି। କିନ୍ତୁ ଆଜିପର୍ଯ୍ୟନ୍ତ ତାଲିକା ପ୍ରକାଶ ପାଉନି। ମନୋନିତ ପ୍ରାର୍ଥୀମାନେ ଗତ ତିନିମାସ ହେଲା ସେମାନଙ୍କର ପଦୋନ୍ନତି ଓ ପୋଷ୍ଟିଂକୁ ଅପେକ୍ଷା କରିବସିଛନ୍ତି। ଏହି ୧୪୫ଜଣିଆ ପଦୋନ୍ନତି ତାଲିକାରେ କଟକ ବଡ଼ ଡାକ୍ତରଖାନାର ପାଖାପାଖି ୭୦ ଜଣ ବିଶେଷଜ୍ଞ ଡାକ୍ତର ରହିଛନ୍ତି। ଏହି ପ୍ରକ୍ରିୟା ମାର୍ଚ୍ଚ ସୁଦ୍ଧା ସରିବା କଥା, କିନ୍ତୁ ଆଜି ପର୍ଯ୍ୟନ୍ତ ତାଲିକା ପ୍ରକାଶିତ ହୋଇନାହିଁ। ଏହାକୁ ନେଇ ଯଦିଓ ଖୁଲମ୍‌ଖୁଲା କେହି ବିରୋଧ କରିନାହାନ୍ତି ତଥାପି ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। ଅନ୍ୟପଟେ ଏହା ପୂର୍ବରୁ ଡିପିସିର ଅନୁମୋଦନ କ୍ରମେ ପଦୋନ୍ନତି ପାଇଥିବା ତାଲିକାକୁ ନେଇ ବିଶେଷଜ୍ଞ ମହଲରେ ପ୍ରଶ୍ନ ଉଠିବା ସହ କୋର୍ଟ ପର୍ଯ୍ୟନ୍ତ କଥାଯାଇଥିଲା।

ସମ୍ବନ୍ଧିତ ଖବର