ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ଭୂତ ପୂର୍ବ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ସଂପ୍ରତି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଦୀର୍ଘ ୧୪୭ବର୍ଷର ପୁରୁଣା ଏହି ବିଦ୍ୟାଳୟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨ଶହ ମିଟର ଦୂରରେ ରହିଛି। ତଥାପି ବିଦ୍ୟାଳୟର ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଆଖି ବୁଳିଦେବା ଅତ୍ୟନ୍ତ ପରିତାପର ବିଷୟ ହୋଇପଡିଛି। ବିଦ୍ୟାଳୟର ଏକ ପୁରୁଣା ଘରେ ଚାଲିଥିବା ହଷ୍ଟେଲର ଛାତ୍ରମାନେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ବିଦ୍ୟାଳୟ ପରିସରରେ ଥିବା ୪ଟି ଶୌଚାଳୟ ମଧ୍ୟରୁ ଗୋଟିଏ କାମ କରୁଛି। ଫଳରେ ଛାତ୍ରଛାତ୍ରୀ ମାନଙ୍କ ଶୌଚ ପାଇଁ ସମସ୍ୟା ହେଉଛି। ଦୀର୍ଘ ବର୍ଷ ହେଲା ନଳକୂପର ପାଣି ବ୍ୟବହାର ଉପଯୋଗୀ ହୋଇ ନଥିବାରୁ ମଧ୍ୟାହ୍ନ ଭୋଜନ ଓ ରୋଷେଇରେ ସମସ୍ୟା ଦେଖା ଦେବା ସହିତ ଛାତ୍ରଛାତ୍ରୀମାନେ ପାଣି ପାଇଁ ହଇରାଣ ହେଉଛନ୍ତି।

Advertisment

ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ସଦର ମହକୁମାରେ ୧୮୭୭ ମସିହାରେ ଭୂତ ପୂର୍ବ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏହାର କିଛି ବର୍ଷ ପରେ ବିଦ୍ୟାଳୟ ପରିସରରେ ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମିତ ହୋଇଥିଲା। ଚଳିତ ବର୍ଷ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୪୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୩୮ଜଣ ଛାତ୍ର ହଷ୍ଟେଲରେ ରହି ପଡ଼ୁଛନ୍ତି। ବିଦ୍ୟାଳୟ ପରିସରରେ ଦୀର୍ଘ ବର୍ଷ ତଳେ ପ୍ରଶାସନ ପକ୍ଷରୁ ଏକ ନଳକୂପ ଖନନ ହୋଇଥିଲା। କିନ୍ତୁ ଜଳସ୍ତର ହ୍ରାସ ପାଇବାରୁ ଗତ କିଛି ବର୍ଷ ହେଲା ନଳକୂପରୁ ସଠିକ୍ ପାଣି ବାହାରୁନି।ହାଣ୍ଡିଏ ପାଣି ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି।ଲୌହ ଯୁକ୍ତ ପାଣି ବାହାରୁ ଥିବା ଯୋଗୁଁ ମଧ୍ୟାହ୍ନ ଭୋଜନ ରୋଷେଇରେ ସମସ୍ୟା ଦେଖାଦେଉଛି।

ଅନ୍ୟପଟେ ଦୀର୍ଘ ବର୍ଷ ହେଲା ନଳକୂପର ପାଣି ବ୍ୟବହାର ଉପଯୋଗୀ ହୋଇନଥିବା ଯୋଗୁଁ ଗାଁରେଥିବା ନଳକୂପରୁ ପାଣି ଅଣାଯାଇ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି।ଆଗକୁ ଗ୍ରୀଷ୍ମ ଋତୁ ଥିବା ବେଳେ ପାନୀୟ ଜଳ ସୁବିଧା ନଥିବା ଯୋଗୁଁ ଅଭିଭାହକ ମହଲରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଛାତ୍ରଛାତ୍ରୀ ମାନେ ସମସ୍ୟାରେ ପଡିବା ଆଶଙ୍କା ଦେଖାଦେଇଛି। ବିଦ୍ୟାଳୟରେ ୪ଟି ଶୌଚାଳୟ ରହିଛି। କିନ୍ତୁ ଟାଙ୍କି ଭର୍ତି ହୋଇଯାଇଥିବାରୁ ୩ଟି ବ୍ୟବହାର ହୋଇପାରୁନି।ଗୋଟିଏ ମାତ୍ର ଶୌଚାଳୟ କାମ କରୁଥିବା ବେଳେ ଶୌଚ ପାଇଁ ପିଲାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏକା ସମୟରେ ଏକାଧିକ ପିଲା ଶୌଚ ପାଇଁ ସମସ୍ୟା ଦେଖାଦେଇଛି।

ଦୀର୍ଘ ବର୍ଷର ଏକ ପୁରୁଣା ଗୃହରେ ଛାତ୍ରାବାସ ଚାଲିଥିବା ବେଳେ ବର୍ତ୍ତମାନ ଏହି ଗୃହର ଅବସ୍ଥା ଶୋଚନୀୟ ଅବସ୍ଥାରେ ପଡିରହିଛି। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେଠାରେ ଛାତ୍ରାବାସ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ଏକ ଦଦରା ଶ୍ରେଣୀ ଗୃହରେ ଛାତ୍ରାବାସ ଚାଲିଛି। ବର୍ଷା ଦିନ ଏହି ଛାତ୍ରାବାସର ଆଜବେଷ୍ଟସରୁ ପାଣି ଗଳୁଥିବା ବେଳେ କାନ୍ଥ ଗୁଡିକ ଫାଟି ନଷ୍ଟ ହୋଇଗଲାଣି। ଏପରିକି ଛାତ୍ରାବାସର ଝରକା ଭାଙ୍ଗି ଗଲାଣି। ଏଭଳି ଏକ ପୁରୁଣା ଗୃହରେ ଛାତ୍ରମାନେ ବିପଦ ସଂକୂଳ ଅବସ୍ଥାରେ ରହୁଥିବା ବେଳେ କେତେବେଳେ କୌଣସି ଅଘଟଣ ଘଟିବା ନେଇ ଆଶଙ୍କା ଦେଖାଦେଉଛି। ବିଦ୍ୟାଳ‌ୟରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ସମସ୍ୟା ଦେଖାଦେବାରୁ ପ୍ରାୟ ୧୦ବର୍ଷ ତଳେ ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ପରିସରରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତମାନ ସୁଦ୍ଧା ଏହି କାମ ସଂପୂର୍ଣ ହୋଇପାରୁନି।
ବିଦ୍ୟାଳୟ ଚାରିପଟେ ଥିବା ପାଚେରି ଭାଙ୍ଗି ଯାଇଛି। ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅସୁରକ୍ଷିତ ଭାବେ ରହୁଛନ୍ତି। ପାଚେରୀ ଭାଙ୍ଗି ଥିବା ଯୋଗୁଁ ଅବାଧରେ ଗାଈଗୋରୁ ସହ ବିଭିନ୍ନ ଲୋକମାନଙ୍କ ପ୍ରବେଶ ହେଉଥିବା ଅଭିଯୋଗ ହୋଇଛି।

publive-image
ସେହିପରି ବିଦ୍ୟାଳୟ ପରିସରରେ କୌଣସି ଡ୍ରେନ ସୁବିଧା ନଥିବା ଯୋଗୁଁ ବର୍ଷା ଦିନ ଆସିଲେ ବର୍ଷା ପାଣି ଜମି ରହୁଛି। ଫଳରେ ଛାତ୍ରଛାତ୍ରୀମାନେ ବର୍ଷାଦିନରେ ବିଦ୍ୟାଳୟକୁ ଯିବା ଆସିବା ପାଇଁ ବହୁତ ସମସ୍ୟା ଦେଖାଦେଇଛି। ବର୍ଷା ପାଣି ନିଷ୍କାସନ ପାଇଁ ନାକେଦାମ ହେବା ପାଇଁ ପଡୁଛି। ବିଦ୍ୟାଳୟ ରାସ୍ତା କଡ଼ରେ ଥିବା ବେଳେ ସାପ୍ତାହିକ ହାଟରେ ବ୍ୟବସାୟୀମାନେ ବିଦ୍ୟାଳୟ ନିକଟରେ ବ୍ୟବସାୟ କରି ଅଳିଆ ଆବର୍ଜନା ବିଦ୍ୟାଳୟ ଭିତରେ ଫପାଡି ଦେଉଥିବା ଅଭିଯୋଗ ହୋଇଛି। ଫଳରେ ଛାତ୍ରଛାତ୍ରୀମାନେ ଅସ୍ୱାସ୍ଥ୍ୟ କର ପରିବେଶରେ ରହୁଛନ୍ତି।

ଦୀର୍ଘ ବର୍ଷ ହେଲା ବିଦ୍ୟାଳୟରେ ଏଭଳି ଅନେକ ସମସ୍ୟା ଦେଖାଦେଇଥିଲେ ହେଁ ବିଭାଗୀୟ ଅଧିକାରୀ ଏଦିଗରେ ଦୃଷ୍ଟି ଦେଉନାହାନ୍ତି। ସମସ୍ୟାର ସମାଧାନ ପାଇଁ ବହୁବାର ଜିଲ୍ଲା ତଥା ବ୍ଲକ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଓ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏହି ବିଦ୍ୟାଳୟର ପାନୀୟ ଜଳ ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ହୋଇପାରୁନି। ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ୧୪୨ବର୍ଷର ପୁରୁଣା ବିଦ୍ୟାଳୟ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନଦେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।