ବ୍ରହ୍ମପୁର : ମୁମ୍ବାଇ ଥାନେ ଅଂଚଳର ଜଣେ ବ୍ୟବସାୟୀ ବ୍ରହ୍ମପୁର ଆସ୍କାରୋଡ଼ର ଜଣେ ଡିଆଇ ପାଇପ୍‌ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପ୍ରାୟ ୧୬ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ୟବସାୟୀ ଜଣକ ବଡ଼ବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ମୁତାବକ, ଆସ୍କାରୋଡ଼ ଅଂଚଳର ସୁମନ୍ତ କୁମାର ସାହୁ ନାମକ ଜଣେ ବ୍ୟବସାୟୀ ଡିଆଇ ପାଇପ୍ ବ୍ୟବସାୟ କରନ୍ତି। ୨୦୧୮ଅଗଷ୍ଟରେ ଥାନେ ଅଂଚଳର ମନୋହର କାଣ୍ଡା ନାମକ ଜଣେ ବ୍ୟବସାୟୀ ତାଙ୍କୁ ଫୋନ୍‌ କରି ବିଶ୍ବାସଭାଜନ ହେବାସହ ଆବଶ୍ୟକ ପରିମାଣର ଡିଆଇ ପାଇପ୍ ଯୋଗଇଦେବ ବୋଲି କହିଥିଲା। ସୁମନ୍ତ ଥାନେର ସେହି ବ୍ୟବସାୟୀର ବ୍ୟାଙ୍କ ଜମାଖାତାକୁ ବିଭିନ୍ନ ଦଫାରେ ଅଗ୍ରୀମ ଆକାରରେ ୩୫ଲକ୍ଷ ଟଙ୍କା ପଠାଇଥିଲେ। କିନ୍ତୁ ସେ ଅଡ଼ର୍‌ ମୁତାବକ ସାମଗ୍ରୀ ନପଠାଇ ଦୁଇଥରରେ ‌ମୋଟ ୧୯ଲକ୍ଷ ୩୪ହଜାର ୧୨୪ଟଙ୍କାର ସାମଗ୍ରୀ ପଠାଇଥିଲା।  ଅବଶି‌ଷ୍ଟ ଟଙ୍କାର ସାମଗ୍ରୀ ଆଉ ପଠାଇନଥିଲା, କି ଫୋନ୍‌ ଉଠାଇ ନଥିଲା।

ତେଣୁ ବାଧ୍ୟ ହୋଇ ବ୍ୟବସାୟୀ ଜଣକ ଥାନେ ଯାଇ ଉକ୍ତ ବ୍ୟବସାୟୀ ସହ ସିଧାସଳଖ ଯୋଗାଯୋଗ କରିଥିଲେ। ତେବେ ସାମଗ୍ରୀ ପଠାଇବା ନେଇ ଥିବା ସମସ୍ୟା ସମ୍ପର୍କରେ କହିବା ସହ ୧୫ଲକ୍ଷ ୬୫ହଜାର ୮୭୬ଟଙ୍କାର ତିନିଟି ଚେକ୍‌ ଦେଇଥିଲା। ସେହି ଚେକ୍‌କୁ ଆଣି ବ୍ୟବସାୟୀ ଜଣକ ବ୍ୟାଙ୍କରେ ଜମା କରିବାରୁ ତାହା ଗ୍ରହଣୀୟ ହୋଇନଥିଲା। ଏସମ୍ପର୍କରେ ବୁଝିବା ପାଇଁ ପୁଣି ‌ଥାନେର ସେହି ବ୍ୟବସାୟୀକୁ ଫୋନ୍‌ କରି କିଛି ସୁଫଳ ନମିଳିବାରୁ ପୁଣିଥରେ ଥାନେ ଯାଇଥିଲେ। କିନ୍ତୁ ସେଠାରେ ଥିବା ଉକ୍ତ ବ୍ୟବସାୟିକ ସଂସ୍ଥାରେ ତାଲା ଝୁଲୁଥିବା ବେଳେ ତାଙ୍କ ଭଳି ବହୁ ବ୍ୟବସାୟୀ ଏଭଳି ଠକେଇର ଶିକାର ହୋଇ ସେଠାରେ ପହଁଚିଥିବା ଜାଣିବାକୁ ପାଇଥିଲେ। ‌ଶେଷରେ ବ୍ରହ୍ମପୁର‌ ଫେରି ବଡ଼ବଜାର ଥାନାରେ ଏତଲା ଦେଇଥିଲେ।