ଅନୁଗୁଳ : କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ନିମନ୍ତେ ସରକାରଙ୍କ ଲକ୍ଡାଉନ୍ ଘୋଷଣା ସତ୍ବେ ଲୋକେ ମନଇଚ୍ଛା ବିଚରଣ କରୁଥିବା ଦେଖିବାକୁ ମିଳିଛି। ପୁଲିସ ଏମାନଙ୍କ ଉପରେ ଆଜି କଠୋର ହୋଇଛି। ଆଜି ଅନୁଗୁଳ ଆଦର୍ଶ ଥାନା ପୁଲିସ ବିନା କାରଣରେ ବୁଲୁଥିବା ୧୫ ଜଣ ବ୍ୟକ୍ତିଙ୍କୁ ଗିରଫ କରିିଛି। ଏଥି ସହିତ ସେମାନଙ୍କଠାରୁ ୬ଟି ବାଇକ୍ ଜବତ କରିଥିବା ଅନୁଗୁଳ ଥାନା ଅଧିକାରୀ ରମେଶ ବିଶୋଇ ସୂଚନା ଦେଇଛନ୍ତି।
ସୋମବାର ସନ୍ଧ୍ୟା ପରେ ପୁଲିସ ବିଭିନ୍ନ ଛକ ଜାଗାରେ ନାକାବନ୍ଦୀ କରିଥିଲା। ହେଲେ ଆଜି ଦିନ ସାରା ସହରରେ ଲୋକଙ୍କ ଯିବାଆସିବା ଲାଗି ରହିଥିଲା। କେତେକ ଛକ ଜାଗାମାନଙ୍କର ପୁଲିସ ରହିଥିଲେ, ଏହା ସତ୍ତ୍ବେ ଗାଡ଼ିରେ ଲୋକେ ବୁଲୁଥିବା ଦେଖିବାକୁ ମିଳିଥିଲା। ନିଜ ମନଇଚ୍ଛା ବୁଲାବୁଲି କରୁଥିବା
ଲୋକମାନଙ୍କୁ ପୁଲିସ ଅଟକାଇ ଥାନାକୁ ଧରି ଆଣିଥିଲା। ଲକ୍ଡାଉନ ଦୃଷ୍ଟିରୁ ଡେଲି ମାର୍କେଟ ବନ୍ଦ ରହିଥିଲା। ଡେଲି ମାର୍କେଟ ସମ୍ମୁଖରେ ପୁଲିସ ଜଗି ରହିଥିଲା। ପରିବା ବଜାର ବନ୍ଦ ରହିବା କାରଣରୁ ସହରର କେତେକ ସ୍ଥାନରେ ବେପାରୀମାନେ ପରିବା ବିକୁଥିବା ଦେଖିବାକୁ ମିଳିଥିଲା। ତେବେ ଜିନିଷପତ୍ର ଚଢ଼ା ଦରରେ ବିକ୍ରି ହେଉଥିଲା। ଗାଁରୁ ଚାଷୀମାନେ ସହରକୁ ଆସିପାରିନଥିବାରୁ ବେପାରୀମାନେ ଏହାର ସୁଯୋଗ ନେଇଥିଲେ। ପୂର୍ବରୁ ରଖିଥିବା ଜିନିଷ ବିକି ଥିଲେ। ଅପରପକ୍ଷରେ ବସ୍, ଅଟୋରିକ୍ସା ଚଳାଚଳ ପୂରାପୂରି ବନ୍ଦ ରହିଥିଲା। କିରାନା ଦୋକାନ, ଔଷଧ ଦୋକାନକୁ ଛାଡ଼ି ଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିଥିଲା।