ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ପାଣିପାଗରେ ଉଷ୍ନତା ଦେଖାଯାଇଛି। ଆସନ୍ତା ମାସ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କୁ ମତଦାତାମାନେ ଭୋଟ ଦେବେ। ଭୋଟ୍ଦାନ ତାରିଖ ଯେତିକି ପାଖେଇ ଆସୁଛି। ରାଜନୈତିକ ଦଳ, ନେତା ଓ କର୍ମୀଙ୍କ ମଧ୍ୟରେ ସେତିକି ଚିନ୍ତା ପଶୁଛି। ଅନ୍ୟପଟରେେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା କିଛି ଆସନରେ ତିନି ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ସେଥିପାଇଁ ସ୍ଥାନୀୟ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ (ଅନୁସୂଚିତ ଜାତି), କେନ୍ଦୁଝର ଜିଲ୍ଲାର ତେଲକୋଇ(ଅନୁସୂଚିତ ଜନଜାତି), ପାଟଣା (ଅନୁସୂଚିତ ଜନଜାତି), ଚମ୍ପୁଆ, ବାଲେଶ୍ବର ଜିଲ୍ଲାର ଭୋଗରାଇ, ନୀଳଗିରି, ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା, ଯାଜପୁର ଜିଲ୍ଲାର ବରୀ, କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା(ଅନୁସୂଚିତ ଜାତି), ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଖୋର୍ଦ୍ଧା, ମୟୂରଭଂଜ ଜିଲ୍ଲାର ସାରସକଣା, ବାଙ୍ଗିରିପୋଷି, କରଂଜିଆ, ପୁରୀ ଜିଲ୍ଲାର କାକାଟପୁର (ଅନୁସୂଚିତ ଜନଜାତି) ବିଧାନସଭାରେ ବିଜେପି, ବିଜେଡି ଓ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହାନ୍ତି।
ପ୍ରଥମ ପର୍ଯ୍ୟାୟ ମେ’ ୧୩ ତାରିଖରେ କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଅଧୀନ ୨୮ଟି ବିଧାନସଭା ଆସନରେ ମତଦାନ ହେବ। ଏହି ୪ଟି ସଂସଦୀୟ କ୍ଷେତ୍ର ଅଧୀନରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଂଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା,ପାରଳାଖେମୁଣ୍ଡି, ଗୁଣପୁର, ବିସମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କେରାପୁଟ ଓ ପଟ୍ଟାଙ୍ଗି ରହିଛି।
ତେବେ ଖରିଆର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡିରେ କଂଗ୍ରେସ, ନର୍ଲା, ଚିତ୍ରକୋଣ୍ଡା, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁରରେ ବିଜେଡି ଏବଂ ଝରିଗାଁ, ଡାବୁଗାଁ, କୋଟପାଡ, ଚିତ୍ରକୋଣ୍ଡା, ବିସମକଟକ, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁରରେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ସେହିପରି ଦ୍ବିତୀୟ, ତୃତୀୟ ଓ ଅନ୍ତିମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଆସନଗୁଡ଼ିକରେ ମଧ୍ୟ ସଂପୂର୍ଣ୍ଣ ରୂପେ ତିନି ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/b551c7b0-131c-472b-b5c7-b15967fdac54.jpeg)