ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ ୧୫ ବିଏଡ୍‌ କଲେଜ

ଭାଙ୍ଗିବ ବେସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ୧୫ଟି ଶିକ୍ଷକ ଶିକ୍ଷା ଅନୁଷ୍ଠାନ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ। ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ବି.ଏଡ୍‌ ଓ ଏମ୍‌.ଏଡ୍‌ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ଭିତ୍ତିଭୂମି ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ସଠିକ୍‌ ଭାବେ ଚାଲିପାରୁ ନାହିଁ। ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ଆସୁଛି। ତାହାକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷଠାରୁ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉଚ୍ଚଶିକ୍ଷା ବିଭାଗକୁ ଆଣିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକ୍ରିୟା କିଭଳି ସହଜରେ ହୋଇପାରିବ ସେଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଉଚ୍ଚଶିକ୍ଷା ସଚିବ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ଟିଇ ଆଣ୍ଡ ଏସ୍‌ସିଇଆରଟି ନିର୍ଦେଶକ ଓ ଉଚ୍ଚଶିକ୍ଷା ବିଭାଗ ପର୍ଫରମାନ୍ସ ଟ୍ରାକିଂ ସେଲ୍‌ର ଇନ୍‌ଚାର୍ଜ ସଦସ୍ୟ ରହିଛନ୍ତି।

ଭାଙ୍ଗିବ ବେସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି
ଭୁବନେଶ୍ୱର : ରାଜ୍ୟରେ ଥିବା ବେସରକାରୀ ଅନୁଦାନପ୍ରାପ୍ତ ସ୍ବୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହେବା କ୍ଷଣି ଏହାକୁ ଭଙ୍ଗ କରାଯିବ। ନୂତନ ପରିଚାଳନା କମିଟି ଗଠନ ହେବା ପର୍ଯ୍ୟନ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପରିଚାଳନା କମିଟିର ସଭାପତି ଭାବେ ଦାୟିତ୍ବ ତୁଲାଇବେ। ଯେଉଁ ଜିଲ୍ଲାରେ ଜଣକରୁ ଅଧିକ ଅତିରିକ୍ତ ଜିଲ୍ଲାପାଳ ଥିବେ ସେଭଳି ସ୍ଥିତିରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଜଣେ ଅତିରିକ୍ତ ଜିଲାପାଳଙ୍କୁ ପରିଚାଳନ କମିଟିର ଦାୟିତ୍ବ ଦେବେ ବୋଲି ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର