ସୁଶାନ୍ତ କୁମାର ସ୍ବାଇଁ
କଟକ: ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କର କେବଳ ଜ୍ଞାନ ବୃଦ୍ଧି କରିବାକୁ ଠିକ୍‌ ପରୀକ୍ଷା ପୂର୍ବରୁ ସରକାର ଖର୍ଚ୍ଚ କରି ଦେଲେ ୧୫ କୋଟି ଟଙ୍କା? ‘ପରୀକ୍ଷା ଦର୍ପଣ’କୁ ନେଇ ଯେତିକି ଯେତିକି ଦ୍ବନ୍ଦ୍ବ ବଢୁଛି, ଏହାର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିବା ସହିତ, ଏହାର ମୂଳଉଦ୍ଦେଶ୍ୟକୁ ନେଇ ସନ୍ଦେହ ବଢିବାରେ ଲାଗିଛି।

Advertisment

ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ୫ ଲକ୍ଷ ୬୫ ହଜାର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଯୋଗାଇ ଦେବା ପାଇଁ ‘ପରୀକ୍ଷା ଦର୍ପଣ’ ଛପା ଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଏହାକୁ ପ୍ରସ୍ତୁତ କରିଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ ପ୍ରକାଶ କରିଛି। ୬୯୨ ପୃଷ୍ଠାର ଏହି ବହି ଛାପିବା ପାଇଁ ସରକାରୀ ହିସାବରେ ଗୋଟିଏ ବହି ପିଛା ଖର୍ଚ୍ଚ ହୋଇଛି ହାରାହାରି ଭାବେ ୨୧୦ ଟଙ୍କା। ଅର୍ଥାତ ୫ ଲକ୍ଷ ୬୫ ହଜାରରୁ ଅଧିକ ପୁସ୍ତକ ଛାପିବା ପାଇଁ ପାଖାପାଖି ୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଛପା ଯାଇଛି ବୋଲି କୁହାଯାଉଥିବା ବେଳେ ନିୟମ ଅନୁଯାୟୀ କେତେକ ପୁସ୍ତକ ଛପା ଯାଇଛି, ସେ ସଂଖ୍ୟା ଏଥିରେ ଦିଆଯାଇ ନାହିଁ। ଏହି ପୁସ୍ତକ ଗୁଡିକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍କୁଲକୁ ପଠାଯାଇ ବଣ୍ଟନ ପାଇଁ ପଦକ୍ଷେପ ନିଆଯାଇଛି। ପରିବହନ ବ୍ୟବସ୍ଥାରେ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେବାର ମୋଟାମୋଟି ଆକଳନ କରାଯାଉଛି। ଏହାବ୍ୟତୀତ ପରୀକ୍ଷା ଦର୍ପଣ ପ୍ରକାଶନର ସବୁ ପ୍ରକାର ଆନୁସଙ୍ଗିକ ପ୍ରସ୍ତୁତି ଓ ପ୍ରକ୍ରିୟାର ଖର୍ଚ୍ଚକୁ ମିଶାଇଲେ ଏଥିପାଇଁ ୧୫ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଥିବା ଆକଳନ କରାଯାଉଛି।

କରୋନା ପରିସ୍ଥିତି ସମୟରେ ରାଜ୍ୟ ସରକାର ଏଭଳି ୧୫ କୋଟିରୁ ଅଧିକ ଟଙ୍କା ପାଣି ଭଳି ବୁହାଇ ଦେଇ କି ଉଦ୍ଦେଶ୍ୟ ସାଧନ କରିଛନ୍ତି? ଏହା ଛାତ୍ରଛାତ୍ରୀଙ୍କ ବର୍ତ୍ତମାନର ଆବଶ୍ୟକତା ପୂରଣରେ ସକ୍ଷମ ହୋଇପାରିଛି କି? ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଏ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି। ଅନ୍ୟପଟେ ସବୁଠୁ ଉଦ୍‌ବେଗର ବିଷୟ ହେଉଛି ଯେ ମେ ୩ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ‘ପରୀକ୍ଷା ଦର୍ପଣ’ ସବୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରି ନାହିଁ। ରାଜ୍ୟର ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ଦୂରର କଥା, କଟକ, ଭୁବନେଶ୍ବରର ସବୁ ଛାତ୍ରଛାତ୍ରୀ ବି ପରୀକ୍ଷା ଦର୍ପଣ ପାଇ ପାରି ନାହାନ୍ତି। ଆଉ ଯେଉଁମାନେ ପାଇଛନ୍ତି ସେମାନେ ଏବେ ପାଠ୍ୟପୁସ୍ତକ ପଢିବେ ନା ସରକାର ଯୋଗାଇ ଦେଇଥିବା ‘ପରୀକ୍ଷା ଦର୍ପଣ’କୁ ପଢିବେ, ତାହାକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି।

ଅନ୍ୟପକ୍ଷରେ, ‘ପରୀକ୍ଷା ଦର୍ପଣ’ ହେଉଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମର ବିଭିନ୍ନ ବିଷୟର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ସମ୍ବଳିତ ଏକ ସହାୟକ ପୁସ୍ତିକା। ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାକୁ ଦୃଢ ଆତ୍ମବିଶ୍ବାସର ସହ ‌ଯେଭଳି ଦେଇ ପାରିବେ ସେଥିପାଇଁ ବିଭିନ୍ନ ବିଷୟର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ଏଥିରେ ଦିଆଯାଇଛି। କିନ୍ତୁ ‘ପରୀକ୍ଷା ଦର୍ପଣ’ରେ ଥିବା ତ୍ରୁଟି ଆଉ ଉପଯୋଗିତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ‌ତେବେ, ବୋର୍ଡର ଉପସଭାପତି ତଥା ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି କହିଛନ୍ତି ଯେ ‘ପରୀକ୍ଷା ଦର୍ପଣ ଏକ ପ୍ରଶ୍ନୋତ୍ତର ସଂକଳନ ଯାହା ସମସ୍ତ ବିଷୟରୁ ପ୍ରସ୍ତୁତ କରାଯାଇଛି। ଛାତ୍ରଛାତ୍ରୀ ମାନଙ୍କର ସମସ୍ତ ବିଷୟରେ ଜ୍ଞାନ ବୃଦ୍ଧି କରିବାରେ ଏହା ସହାୟକ ହେବ।

ମାଟ୍ରିକ ଛାତ୍ରଛାତ୍ରୀଙ୍କ ଜ୍ଞାନ ବୃଦ୍ଧି ପାଇଁ ତ ସେମାନଙ୍କ ପାଖରେ ପାଠ୍ୟ ପୁସ୍ତକ (ଟେକ୍ସଟ୍ ବୁକ୍) ରହିଛି। ଠିକ୍‌ ପରୀକ୍ଷା ପୂର୍ବରୁ କୋଟିକୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ‘ପରୀକ୍ଷା ଦର୍ପଣ’ ଆଉ କିଭଳି ଅଧିକ ଜ୍ଞାନ ବୃଦ୍ଧି କରିବ, ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ବିଭିନ୍ନ ସମୟରେ ପରୀକ୍ଷା ପରିଚାଳନା ବିଭ୍ରାଟକୁ ନେଇ ଚର୍ଚ୍ଚାରେ ରହି ଆସିଥିବା ବୋର୍ଡ ଆଉ ଗଣଶିକ୍ଷା ବିଭାଗ ଏବେ ୧୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ‘ପରୀକ୍ଷା ଦର୍ପଣ’ ପ୍ରସ୍ତୁତ କରି ପୁଣି ବିଭ୍ରାଟର କ୍ଷେତ୍ରପ୍ରସ୍ତୁତ କରିଛି ବୋଲି ମତ ମଧ୍ୟ ଦେଇଛନ୍ତି।