୧୫ ଦିନର ଜୀବନ ସଂଘର୍ଷ ଶେଷ, ଆଖିବୁଜିଲେ ଗଣଦୁଷ୍କର୍ମ ପୀଡ଼ିତା

କୋରାପୁଟ/ଜୟପୁର: ୧୫ ଦିନ ଧରି ଜୀବନ ସହିତ ସଂଘର୍ଷ କରୁଥିବା‌ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଆଜି ପ୍ରାଣ ହରାଇଛନ୍ତି। ଏହି ପୀଡ଼ିତା ମହିଳା କୁଲି କାମ କରୁଥିଲେ। ଘରେ ମାନସିକ ଭିନ୍ନକ୍ଷମ ସ୍ବାମୀ ଏବଂ ଦୁଇଜଣ ଛୋଟ ଛୋଟ ଛୁଆ। କଠୋର ଆଇନ ସତ୍ତ୍ବେ କାହିଁକି ଏହଭିଳି ଘଟଣା ଘଟୁଛି ତାହା ଯେତିକି ବଡ଼ ପ୍ରଶ୍ନ ନୁହେଁ, ଏହି ପରିବାରର ବାକି ମଣିଷ କିଭଳି ବଞ୍ଚିବେ ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ। ଗତ ୫ ତାରିଖ ଦିନ ଏହି ଅଭାବନୀୟ ଘଟଣା ଘଟିଥିଲା। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅଂଚଳର ଜଣେ ବିବାହିତା ମହିଳା (୩୫ବର୍ଷ) ଘରେ ଏକାକୀ ଥିବାର ସୁ‌େଯାଗ ନେଇ ସେହି ଗାଁର ଦୁଇ ଜଣ ଯୁବକ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ଦୁହେଁ ଥିଲେ ମଦ୍ୟପ ଏବଂ ଦିନତମାମ ମହିଳାଙ୍କ ପ୍ରତି ଏହିଭଳି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଫଳରେ, ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଗ୍ରାମବାସୀ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟର ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ମହିଳାଙ୍କ ସ୍ବାମୀ ମାନସିକ ଭିନ୍ନକ୍ଷମ ହୋଇଥିଲାବେଳେ ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି। ପରିବାରରେ ଆଉ କେହି ନ ଥିବାରୁ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଜଣେ ସଂପର୍କୀୟ ପୁତୁରା ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଦୁଇ ଅଭିଯୁକ୍ତ କମଳ ଲୋଚନ ଦଣ୍ଡସେନା ଓ ରମେଶ ଦଣ୍ଡସେନାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ବିରୋଧରେ ପୂର୍ବରୁ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ବେଳେ ପୀଡ଼ିତାଙ୍କ ମୃତ୍ୟୁ ପରେ ଏବେ ହତ୍ୟା ମାମଲା ଯୋଡା ହୋଇଛି। ଏ ସମ୍ପର୍କରେ ଜୟପୁର ସଦର ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ କହିଛନ୍ତି ଯେ, ଅଭିଯୋଗ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରାଯାଇଛି। ପୀଡିତାଙ୍କ ମୃତ୍ୟୁ ହୋଇଥିବାରୁ ଏବେ ହତ୍ୟା ମାମଲା ଲାଗିବ। ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଆଜି ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ବୋଲି ସେ କହିଛନ୍ତି। ଅପରପକ୍ଷରେ ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ସଂପର୍କୀୟ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି। ମହିଳା ଜଣଙ୍କ କୁଲି କାମ କରି ଘର ଚଳାଉଥିଲା ବେଳେ ଏବେ ତାଙ୍କ ମୃତ୍ୟୁ ପରେ ମାନସିକ ଭିନ୍ନକ୍ଷମ ସ୍ବାମୀ ଓ ଦୁଇ ଛୋଟ ଛୋଟ ଛୁଆ କେମିତି ଚଳିବେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ମହିଳାଙ୍କ ସଂପର୍କୀୟଙ୍କୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର