ଆଉ ୧୫ଜଣଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୭୭୭କୁ ବୃଦ୍ଧି

ଭୁବନେଶ୍ବର: କରୋନାରେ ପୁଣି ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ଯେଉଁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧାର ଭୁବନେଶ୍ବରରୁ ୪, ପୁରୀରୁ ୩ ଜଣ , ମୟୂରଭଞ୍ଜରୁ ୨ ଜଣ, କେନ୍ଦ୍ରାପଡ଼ା, ବଲାଙ୍ଗୀର, କନ୍ଧମାଳ, ଅନୁଗୁଳ, କଟକ ଓ ରାୟଗଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ଖୋର୍ଦ୍ଧାରୁ ଯେଉଁ ୪ ମୃତକ ଅଛନ୍ତି, ସେମାନେ ହେଲେ ୬୦, ୬୩, ୨ ଓ ୭୫ ବର୍ଷ ବୟସ୍କ ପୁରୁଷ । ମୟୂରଭଞ୍ଜରେ ଜଣେ ୫୯ବର୍ଷ ବୟସ୍କ ପୁରୁଷ ଓ ଜଣେ ୪୫ ବର୍ଷ ବୟସ୍କା ମହିଳା ଅଛନ୍ତି। ପୁରୀର ଯେଉଁ ୩ ମୃତକ ଅଛନ୍ତି, ସେମାନଙ୍କ ଭିତରେ ଜଣେ ୬୦ ବର୍ଷୀୟା ମହିଳା ଥିବା ବେଳେ ୮୪ ଓ ୬୦ ବର୍ଷ ବୟସ୍କ ପୁରୁଷ ଥିବା ଜଣାଯାଇଛି।

ରାୟଗଡ଼ା ଓ କଟକ ଜିଲ୍ଲାର ଯେଉଁ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି ସେମାନଙ୍କର ବୟସ ଯଥାକ୍ରମେ ୫୬ ଓ ୭୨ବର୍ଷ।
ଅପରପକ୍ଷରେ କେନ୍ଦ୍ରାପଡ଼ା, କନ୍ଧମାଳ,ଅନୁଗୁଳ ଓ ବଲାଙ୍ଗୀରରୁ ଯେଉଁ ଜଣେ ଲେଖାଏଁ ପୁରୁଷ ପ୍ରାଣ ହରାଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୮୧, ୫୦ ଓ ୬୭ ବର୍ଷ।
ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୪୨୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୬୨ ଓ ସ୍ଥାନୀୟ ଅଞ୍ଚଳରୁ ୧୭୪୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ମୋଟ୍ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯,୨୩୨ ରହିଛି।

ସମ୍ବନ୍ଧିତ ଖବର