ଆଉ ୧୫ଜଣଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି

ଭୁବନେଶ୍ବର: କରୋନାରେ ପୁଣି ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଆଜି ଯେଉଁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ବାଲେଶ୍ବର, କଟକ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, ପୁରୀରୁ ୨, ନବରଙ୍ଗପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। । ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ଖୋର୍ଦ୍ଧାର ଯେଉଁ ୩ ମୃତକ ପୁରୁଷ ଅଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୭୩, ୫୦ ଓ ୬୦ ବର୍ଷ। କଟକର ମୃତକଙ୍କ ଭିତରେ ୪୦ ଓ ୬୮ ବର୍ଷ ବୟସ୍କ ପୁରୁଷ ଓ ଜଣେ ୮୨ ବର୍ଷ ବୟସ୍କା ମହିଳା ଅଛନ୍ତି। ବାଲେଶ୍ବରର ଯେଉଁ ୩ ମୃତକ ଅଛନ୍ତି, ସେମାନଙ୍କ ଭିତରେ ୬୧ ଓ ୭୦ ବର୍ଷ ବୟସ୍କା ମହିଳା ଓ ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ପୁରୀର ଦୁଇ ମୃତକଙ୍କ ଭିତରେ ୪୯ ଓ ୬୬ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ନବରଙ୍ଗପୁରର ଓ ସୁନ୍ଦରଗଡ଼ ଯେଉଁ ଜଣେ ଲେଖାଏଁ ମହିଳା ପ୍ରାଣ ହରାଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୩୦ ଓ ୪୭ ବର୍ଷ।
ଏହାଛଡ଼ା ବଲାଙ୍ଗୀର ଓ ଝାରସୁଗୁଡ଼ାରୁ ଯେଉଁ ଜଣେ ଲେଖାଏଁ ପୁରୁଷ ପ୍ରାଣ ହରାଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୭୪ ଓ ୬୭ ବର୍ଷ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୩୦୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୫ ହଜାର ୬୭୬କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ମୋଟ୍ ୧,୭୭,୫୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୨୧୦ ରହିଛି।

ସମ୍ବନ୍ଧିତ ଖବର