ଭୁବନେଶ୍ବର: ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ରହୁଥିବାରୁ ୧୫ଦିନ ହେଲା ରାତିର ତାପମାତ୍ରା ୧୦ ଡିଗ୍ରି ଉପରେ ରହୁଥିଲା। ଏବେ ପୁଣିଥରେ ଥଣ୍ଡା ଫେରିଛି। ସମସ୍ତ ସହରର ତାପମାତ୍ରା ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ୨୨ ତାରିଖ ବେଳକୁ ପାରଦ ଆହୁରି ହ୍ରାସ ପାଇବ। ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ରାତିର ତାପମାତ୍ରା ୫ ଡିଗ୍ରି ତଳକୁ ବି ଖସି ଆସିବାର ବହୁତ ସମ୍ଭାବନା ରହିଛି। ଭୋର୍ ସମୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ କୁହୁଡ଼ି ପଡ଼ିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ପାରଦ ଗତକାଲି ପୁଣିଥରେ ହ୍ରାସ ପାଇଛି। ଫୁଲବାଣୀ, ଦାରିଙ୍ଗବାଡ଼ି ସମେତ ସୁନ୍ଦରଗଡ଼ରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି। ମଧ୍ୟରାତିରେ ଏଠାରେ ପାରଦ ୧୦ ଡିଗ୍ରି ତଳକୁ ଖସି ୯ ଡିଗ୍ରିରେ ପହଞ୍ଚିଛି। ଉକ୍ତ ତିନି ସହରର କେତେକ ସ୍ଥାନରେ ତାପମାତ୍ରା ୬ ଡିଗ୍ରି ପାଖକୁ ବି ଚାଲି ଆସିଛି। ୨୨ଟି ସହରର ତାପମାତ୍ରା ମପା ଯାଉଥିବା ବେଳେ ସେଥିରୁ ୧୯ଟି ସହରର ତାପମାତ୍ରା ୧୫ଡିଗ୍ରି ତଳେ ରହିଥିଲା। କଟକ ଓ ଭୁବନେଶ୍ବରରେ ବି ଥଣ୍ଡା ଅନୁଭୂତ ହୋଇଛି। ଭୁବନେଶ୍ବର ସହରର ସର୍ବନିମ୍ନ ତାପମାତ୍ରା ୧୩.୯ଡିଗ୍ରି ଥିବା ବେଳେ କଟକର ତାପମାତ୍ରା ୧୨.୮ ଡିଗ୍ରିକୁ ଖସିଛି। ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ତାପମାତ୍ରା ୧୨ଡିଗ୍ରି ତଳକୁ ଖସି ଆସିଥିବାରୁ ଥଣ୍ଡାର ପ୍ରକୋପ ବଢ଼ିଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ କହୁଛି ଯେ ଉତ୍ତର ପଶ୍ଚିମ ଓଡ଼ିଶାରେ ଏବେ ଥଣ୍ଡା ଅଧିକ ରହିବ। ୩ଦିନ ପରେ କେନ୍ଦ୍ରୀୟ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ୨୨ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ତାପମାତ୍ରା ଆହୁରି ଏକରୁ ଦୁଇ ଡିଗ୍ରି କମିବ। ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ରାତିର ପାରଦ ୫ ଡିଗ୍ରିକୁ ଖସି ଆସିବାର ବହୁତ ସମ୍ଭାବନା ରହିଛି।
୧୫ ଡିଗ୍ରି ତଳେ ୧୯ ସହର
ଦାରିଙ୍ଗବାଡ଼ି, କନ୍ଧମାଳ ଓ ସୁନ୍ଦରଗଡ଼ରେ ପ୍ରବଳ ଥଣ୍ଡା
/sambad/media/post_attachments/wp-content/uploads/2018/01/winter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)