କୋଇଡ଼ା: କିଛି ଦିନ ପୂର୍ବେ ଅଙ୍ଗନବାଡ଼ି ଦିଦି ନାଳ ପାର କରି ଶିଶୁଙ୍କୁ କୋଳରେ ଧରି ଭରା ନାଳ ପାର କରୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଏବେ ଲଗାଣ ବର୍ଷାରେ ପାରମ ସାହି ନାଳରେ ପ୍ରଖର ବର୍ଷା ଜଳ ପ୍ରବାହିତ ହେଉଥିବାରୁ ନାଳ ପାରି ହେବା କଷ୍ଟକର ହୋଇଛି। ଫଳରେ କଲେଜ ଛାତ୍ରଛାତ୍ରୀ ଘରକୁ ଫେରିନପାରି ନାଳର ଉପର ପାର୍ଶ୍ୱରେ ଫସି ରହିଛନ୍ତି। ଅନ୍ୟପଟେ ପାରମ ସାହିର ୧୫ ପରିବାର ମଧ୍ୟ ଫସି ରହିଛନ୍ତି। ଜଳବନ୍ଦୀକୁ ଦଶ ଦିନ ବିତିଯାଇଥିବାବେଳେ ଏବେ ୧୫ ପରିବାରଙ୍କ ପାଖରେ ଖାଦ୍ୟ ସାମଗ୍ରୀ ମଧ୍ୟ ସାରିଗଲାଣି। ଏବେ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ନ ପହଞ୍ଚିବା ଫଳରେ ଭୋକ ଉପାସରେ ଦିନ କାଟୁଛନ୍ତି ଏହି ୧୫ ପରିବାର। ବିପନ୍ନଙ୍କ ପାଖରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ନଥିବାବେଳେ ଅଞ୍ଚଳର କିଛି ଯୁବକ, ସମାଜସେବୀ ବାଦଲ ବାରିକ, ମାଲଦା ସରପଞ୍ଚଙ୍କର ପ୍ରତିନିଧି ଟିକେଶ୍ବର ପାତ୍ର, ପୂର୍ବତନ ସରପଞ୍ଚ ଦିବାକର ନାଏକଙ୍କ ସହାୟତାରେ ଉକ୍ତ ପରିବାର ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ଉଦ୍ୟମ କରାଯାଉଥିବା ପ୍ରକାଶ। ନାଳର ପ୍ରଖର ସ୍ରୋତରେ ବିପନ୍ନଙ୍କ ପାଖରେ ପହଞ୍ଚିବା ମଧ୍ୟ ସମ୍ଭବପର ହେଉନଥିବାବେଳେ ଖବର ପାଇ ବିପନ୍ନଙ୍କ ନିକଟରେ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଓଡ୍ରାପ ଟିମ୍ ପହଞ୍ଚି ସ୍ଥାନାନ୍ତରଣ ସହ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଇବାକୁ ବିଳମ୍ବିତ ରାତିରେ ପ୍ରୟାସ କରାଯାଉଥିବା ସୂଚନା ମିଳିଛି।