ବ୍ରହ୍ମପୁର/ଚିକିଟି : ଗଞ୍ଜାମ ସୁନାପୁର ବେଳାଭୂମିରେ ଗୁରୁୁବାର ଅପରାହ୍ଣରେ ଏକ ବିଶାଳକାୟ ହ୍ବେଲ୍ ସାର୍କ ଦେଖିବାକୁ ମିଳିଥିଲା। ଏତେ ବଡ଼ ସାର୍କକୁ ଦେଖିବା ପରେ ମତ୍ସ୍ୟଜୀବୀ ଓ ସ୍ଥାନୀୟ ବାସିନ୍ଦା କିଭଳି ତାକୁ ସମୁଦ୍ରରେ ଛାଡ଼ିବେ, ସେ ନେଇ ଚିନ୍ତାରେ ପଡ଼ିଯାଇଥିଲେ। ସମ୍ମିଳିତ ଭାବେ ଏହି ବୃହତ୍କାୟ ସାର୍କକୁ ଲୋକ ଠେଲିଠେଲି ସମୁଦ୍ର ଭିତରକୁ ଛାଡ଼ିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅର୍ନ୍ତଗତ ସୁନାପୁର ବେଳାଭୂମିକୁ ଗୁରୁୁବାର ଅପରାହ୍ଣ ସାଢ଼େ ୩ଟାରେ ପ୍ରାୟ ୧୫ଫୁଟ ଲମ୍ବର ଏକ ହ୍ବେଲ୍ ସାର୍କ ଲାଗିଥିଲା। ହ୍ବେଲ୍ ସାର୍କକୁ ପ୍ରଥମେ ସେଠାରେ ଥିବା ମତ୍ସ୍ୟଜୀବୀମାନେ ଦେଖିଥିଲେ। ସୂଚନା ମିଳିବା ପରେ ସୁନାପୁରର ମତ୍ସଜୀବୀ, ଗ୍ରାମବାସୀ, ସୁନାପୁର ସାମୁଦ୍ରିକ ଥାନାରେ ନିୟୋଜିତ ହୋମ୍ଗାର୍ଡ଼ ଓ ସ୍ଥାନୀୟ ଫରେଷ୍ଟ ଗାର୍ଡ଼ ମିଶି ଉକ୍ତ ସାର୍କକୁ ସମୁଦ୍ର ଭିତରକୁ ନେଇ ଛାଡ଼ିଥିଲେ। ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବୈଜ୍ଞାନିକ ଅନୀଲ ମହାପାତ୍ର କହିଛନ୍ତି, ପୃଥିବୀର ସର୍ବବୃହତ୍ ପ୍ରଜାତିର ସାମୁଦ୍ରିକ ମାଛ ହେଉଛି ‘ହ୍ବେଲ ସାର୍କ’। ଏହି ମାଛମାନେ ବିଶେଷ କରି ଫାଇଟୋ ପ୍ଲାଙ୍କଟନ୍ ଖାଇଥାନ୍ତି। ଗଞ୍ଜାମ ଉପକୂଳ ସମୁଦ୍ରରେ ପ୍ରବଳ ମାତ୍ରରେ ଫାଇଟୋ ପ୍ଲାଙ୍କ୍ଟନ୍ ରହିଛି। ତେଣୁ ଗଞ୍ଜାମ ଉପକୂଳକୁ ଏମାନେ ଖାଦ୍ୟ ଅନ୍ବେଷଣରେ ଆସିଥା’ନ୍ତି।