କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର କରଞ୍ଜା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘଟପର୍ବ ବିସର୍ଜନ ସମୟରେ ମହୁମାଛି ଆକ୍ରମଣରେ ୧୫ଜଣ ଗୁରୁତର ହୋଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପରେ ଅପରାହ୍ନରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କରଞ୍ଜା ଗ୍ରାମର ହରିଜନ ସାହିକୁ ଗତ ସୋମବାର ଦିନ ଘଟପର୍ବ ଅଣାଯାଇଥିଲା। ଏହି ଘଟପର୍ବ ୩ ଦିନ ପାଇଁ ଅଣାଯାଇଥିବାରୁ ଆଜି ତଥା ଶେଷଦିନରେ ପ୍ରାୟ ସକାଳ ୧୦ଟାରେ ଗ୍ରାମବାସୀ ଖୁସିର ସହିତ ଘଟପର୍ବକୁ ବିସର୍ଜନ କରିବାକୁ ଶୋଭାଯାତ୍ରାରେ ଯାଉଥିଲେ। ତେବେ ଗାଁ ନିକଟରେ ଥିବା ଏକ ଆମ୍ବଗଛରେ ବସା ବାନ୍ଧି ରହିଥିବା ମହୁମାଛି ଗୁଡ଼ିକ ବାହାରି ଲୋକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣ କରିବା ଜାଣିବା ପରେ ଲୋକେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ। ଏହି ସମୟରେ ମହୁମାଛି ଆକ୍ରମଣରେ ପ୍ରାୟ ୧୫ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା। ତେବେ, ଚିକିତ୍ସା ପରେ ସୁସ୍ଥ ହୋଇ ସମସ୍ତେ ଘରକୁ ଫେରି ଯାଇଥିବା ଡା. ନିର୍ମାଲ୍ୟ ଗିରି ସୂଚନା ଦେଇଛନ୍ତି।