କାର୍‌କୁ ଧକ୍କା ଦେଇ ଗଛରେ ପିଟି ହେଲା ବରଯାତ୍ରୀ ବସ୍‌, ୧୫ ଆହତ

ସାଲେପୁର : ସାଲେପୁର ଥାନା ଅଧୀନ କଟକ-ଚାନ୍ଦବାଲି ରାସ୍ତାର ନାଳିଆମୁହଁ ଛକ ନିକଟରେ ରବିବାର ରାତିରେ ଏକ କାର୍‌କୁ ଧକ୍କା ଦେଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର୍‌ ଓ ବସ୍‌ର ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସାଲେପୁର ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌ ଓ ବସ୍‌କୁ ଜବତ କରି ତଦନ୍ତ ଚଳାଇଛି।

ସୂଚନା ମୁତାବକ, କଟକରୁ ବିବାହ ଭୋଜି ଶେଷ‌ ହେବା ପରେ ପ୍ରିନ୍ସ ନାମକ ଏକ ବସ୍ ବରଯାତ୍ରୀମାନଙ୍କୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ଅଭିମୁଖେ ଯାଉଥିଲା। ରବିବାର ରାତି ପ୍ରାୟ ୮ଟାରେ କଟକ-ଚାନ୍ଦବାଲି ରାସ୍ତାର ନାଳିଆମୁହଁ ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଜିପ୍ କମ୍ପାନିର ଏକ କାର୍‌ (ନମ୍ୱର-ଓଡି୦୨ଏଆର୍‌୨୨୮୯)କୁ ଧକ୍କା ଦେବା ପରେ ଡାହାଣ ପାର୍ଶ୍ବରେ ଥିବା ନଡ଼ିଆ ଗଛରେ ପିଟିହୋଇ ଅଟକି ଯାଇଥିଲା। ଦୁର୍ଘଟଣାରେ କାର ଓ ବସ୍‌ର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିଲା ବେଳେ ଉଭୟ ଗାଡ଼ିର ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ସାଲେପୁର ଥାନା ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଦୁର୍ଘଟଣାରେ ଭୁବନେଶ୍ୱରର କାର ଚାଳକ ସତ୍ୟଜିତ୍‌ ଜେନା (୩୮), କାର୍‌ରେ ଥିବା ଲୋକନାଥ ନାୟକ (୭୩) ଓ ତାଙ୍କ ପତ୍ନୀ ପ୍ରଭାମୟୀ ନାୟକ (୬୭) ଆହତ ହୋଇଥିବା ଜଣାପଡ଼ିଛି। ବସ୍‌ଯାତ୍ରୀମାନଙ୍କ ଘର ଆଳି ଓଳାଭର ଅଞ୍ଚଳର ବୋଲି ଜଣାପଡ଼ିଛି। ଅପରପକ୍ଷେ ସାନଭାଇର ଅନ୍ତିମ ସଂସ୍କାର କାର୍ଯ୍ୟ ସାରି ତିହିଡ଼ିରୁ କେନ୍ଦ୍ରାପଡ଼ା ଦେଇ ଭୁବନେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି କାର୍‌ ଆରୋହୀ ଲୋକନାଥ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର