ଚିନ୍ତା ବଢ଼ାଇଲେ ‌କୁମ୍ଭମେଳା ଫେରନ୍ତା, କଟକ ରେଳଷ୍ଟେସନରେ ପରୀକ୍ଷା ପରେ ୧୫ ପଜିଟିଭ୍‌

କଟକ: ହରିଦ୍ବାର କୁମ୍ଭମେଳାକୁ ଯାଇଥିବା ଶ୍ରଦ୍ଧାଳୁ ଏବେ କରୋନା ସଂକ୍ରମଣର ଅନ୍ୟତମ ପ୍ରମୁଖ ବାହକ ହେବାକୁ ଯାଉଛନ୍ତି। କଟକ ରେଳଷ୍ଟେସନରୁ ଗଲା ଦୁଇ ଦିନ ଭିତରେ ୧୫ ଜଣ କୁମ୍ଭ ମେଳା ଫେରନ୍ତା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ରେନରେ ଆହୁରି ଅନେକ ଶ୍ରଦ୍ଧାଳୁ କଟକ ଆସୁଥିବା ସୂଚନା ମିଳିଛି।

ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଆରଟିପିସିଆର୍ ପରୀକ୍ଷା ବ୍ୟବସ୍ଥା କଟକ ଷ୍ଟେସନରେ କରାଯାଇଛି। ଦୁଇ ଦିନରେ ୬୩ ଜଣ କୁମ୍ଭ ମେଳା ଫେରନ୍ତା କଟକ ରେଳଷ୍ଟେନରେ ଓହ୍ଲାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ଜଣ କୋଭିଡ୍‌ରେ ସଂକ୍ରମିତ ହୋଇଛନ୍ତି। ଏମାନେ ସମସ୍ତେ ହେଉଛନ୍ତି କଟକ ସହରର ବାସିନ୍ଦା। ଆକ୍ରାନ୍ତଙ୍କ ମଧ୍ୟରେ ମଧୁପାଟଣା, କଲ୍ୟାଣୀନଗର ଅଞ୍ଚଳରୁ ୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ବିଦ୍ୟାଧରପୁର, ଫୁଲନଖରା, କଲେଜ ଛକ ଅଞ୍ଚଳର ୭ ଜଣ ସଂକ୍ରମିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସଦ୍‌ଗୁରୁ ହସ୍ପିଟାଲ, ୬ଜଣଙ୍କୁ ହୋମ ଆଇସୋଲେସନ୍‌ ଓ ୬ଜଣଙ୍କୁ ବୋସ୍‌ କୋଭିଡ୍ କେୟାର ସେଣ୍ଟରକୁ ପଠାଇ ଦିଆଯାଇଛି ବୋଲି ସହକାରୀ ଜିଲ୍ଲାପାଳ ଅଲକା ରାଣୀ ପଣ୍ଡା ସୂଚନା ଦେଇଛନ୍ତି। ରେକି ମିସନର ଅନେକ ଶ୍ରଦ୍ଧାଳୁ କୁମ୍ଭ ମେଳାକୁ ଯାଇଥିବା ବେଳେ ସେମାନେ ଏବେ ଫେରୁଛନ୍ତି। ମୋଟ ପ୍ରାୟ ଦୁଇ ଶହ ପାଖାପାଖି ଶ୍ରଦ୍ଧାଳୁ କୁମ୍ଭ ମେଳାରୁ ଫେରୁଛନ୍ତି ବୋଲି ଏବେ ପ୍ରଶାସନ ଆକଳନ କରୁଛି।

ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି କଟକ ରେଳ ଷ୍ଟେସନ୍‌ରେ ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଟ୍ରେନରେ ଆସୁଥିବା ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ରଖାଯିବା ସହ ଲକ୍ଷଣଯୁକ୍ତଙ୍କ ଟେଷ୍ଟିଂ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ଷ୍ଟେସନ୍‌ରେ ସିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ଟେଷ୍ଟିଂ କାଉଣ୍ଟର କରାଯାଇଥିବାବେଳେ ଆଜି ୧୫ଟି ଆଣ୍ଟିଜେନ୍‌ ପରୀକ୍ଷାରୁ ୪ ଜଣଙ୍କର ପଜିଟିଭ୍‌ ଆସିଥିବା ଓ ୮୦ ଜଣଙ୍କ ଆର୍‌ଟିପିସିଆର ପରୀକ୍ଷା ପାଇଁ ପଠାଯାଇଥିବା ସିଏମ୍‌ସି ପକ୍ଷରୁ କୁହାଯାଇଛି। କଟକ ଡିସିପି ପ୍ରତୀକ୍‌ ସିଂହ ଆଜି ଷ୍ଟେସନ୍‌ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ତାଙ୍କ ସହିତ ଏସିପି ଅମରେନ୍ଦ୍ର ପଣ୍ଡା, ଆରପିଏଫ୍‌ ଅଧିକାରୀ ପ୍ରବୀଣ କୁମାରଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଓ ସିଏମ୍‌ସିର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର