ବିଭିନ୍ନ ଅଦାଲତରେ ପଡ଼ିଛି ୧୫ ଲକ୍ଷ ୧୯ ହଜାର ମାମଲା

କଟକ : କରୋନା ଭୂତାଣୁ ମହାମାରୀର ପ୍ରଭାବ ଚଳିତ ବର୍ଷ ନ୍ୟାୟିକ ପ୍ରକ୍ରିୟା ଉପରେ ପଡିଛି। ୨୦୨୧ ବର୍ଷରେ ସାରା ରାଜ୍ୟରେ ପ୍ରାୟ ୫୯ଟି ନୂଆ ଅଦାଲତ ପ୍ରତିଷ୍ଠା ହୋଇଛି। କିନ୍ତୁ ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟର ତଥ୍ୟ ଅନୁସାରେ ସାରା ରାଜ୍ୟରେ ୨୦୨୧ ଆରମ୍ଭରେ ପ୍ରାୟ ୧୩ ଲକ୍ଷ ୮୨ ହଜାର ମାମଲା ବିଚାରାଧୀନ ଥିବା ବେଳେ ଏବେ ଏପରି ମାମଲା ସଂଖ୍ୟା ସାଢେ ୧୫ ଲକ୍ଷ ଟପିଲାଣି। ୨୦୨୧, ଡିସେମ୍ବର ୩୧ ତାରିଖ ସୁଦ୍ଧା ସାରାରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ୧୫ ଲକ୍ଷ ୧୯ ହଜାର ୧୦୬ ‌ରହିଛି। ରାଜ୍ୟରେ ଏବେ ବିଭିନ୍ନ ଅଦାଲତରେ ୩ ଲକ୍ଷ ୩ ହଜାର ୨୧୮ଟି ସିଭିଲ କେସ୍ ଓ ୧୨ ଲକ୍ଷ ୧୫ହଜାର ୮୮୮ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି। ଏଥି ମଧ୍ୟରେ ୩୦ ବର୍ଷ ବା ତା ଠାରୁ ପୁରୁଣା ୩ ହଜାର ୯୭୭ଟି ମାମଲା, ୨୦ରୁ ୩୦ ବର୍ଷ ପୁରୁଣା ୩୧ ହଜାର ୮୭୪ଟି ମାମଲା, ୧୦ରୁ ୨୦ ବର୍ଷ ପୁରୁଣା ୧ ଲକ୍ଷ ୭୩ ହଜାର ୯୮୩ ମାମଲା ଅନ୍ତର୍ଭୁକ୍ତ।

ବିଚାରାଧୀନ ମାମଲା ପ୍ରସଂଗରେ ସବୁଠାରୁ ଆଗରେ ରହିଥିବା ‌ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଦାଲତରେ ୧ ଲକ୍ଷ ୬୯ ହଜାର ୮୯୦ଟି ମାମଲା ବିଚାରାଧୀନ ରହିଛି। ଖୋର୍ଦ୍ଧା ତଳକୁ ରହିଥିବା କଟକ ଜିଲ୍ଲାରେ ଏବେ ୧ ଲକ୍ଷ ୩୯ ହଜାର ୫୫୫ଟି ମାମଲା ଓ ତୃତୀୟ ସ୍ଥାନରେ ଥିବା ବାଲେଶ୍ବର ଜିଲ୍ଲାରେ ୧ ଲକ୍ଷ ୧୦ ହଜାର ୬୮୫ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ମାଲକାନଗିରି ଜିଲ୍ଲାରେ ସବୁ ଠାରୁ କମ୍ ୭ ହଜାର ୯୫୮ଟି ମାମଲା ବିଚାରାଧୀନ ରହିଛି। ଗଜପତିରେ ୮ ହଜାର ୧୪୨ଟି ଓ ଦେବଗଡ଼ରେ ୯ ହଜାର ୮୫୨ଟି ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର