ଦରମା ଓ ଅଫିସ ଖର୍ଚ୍ଚ ବାବଦକୁ ଖର୍ଚ୍ଚ ହୋଇଛି ୬କୋଟି ୧୯ଲକ୍ଷ
କେଉଁ ଜିଲ୍ଲାରୁ କେତେ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି ତା’ର ତଥ୍ୟ ଦେଲେନି
ଭୁବନେଶ୍ବର : ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ ଗଠିତ କମିସନ, ଏହାର ଅଧିକାରୀ ଓ କର୍ମଚାରୀଙ୍କ ଦରମା ଓ ଭତ୍ତା, କାର୍ଯ୍ୟାଳୟର ଆନୁଷାଙ୍ଗିକ ଖର୍ଚ୍ଚ, ଜମାକାରୀଙ୍କ ଠାରୁ ପ୍ରାପ୍ତ ସତ୍ୟପାଠର କମ୍ପ୍ୟୁଟରୀକରଣ ବାବଦକୁ ଜାନୁଆରି, ୨୦୨୦ ସୁଦ୍ଧା ମୋଟ୍ ୬କୋଟି ୧୯ଲକ୍ଷ ୭୨ହଜାର ୫୩୮ ଟଙ୍କା ଖର୍ଚ୍ଚ ହେଲାଣି।
ଅପରପକ୍ଷେ ପ୍ରଥମ ପର୍ଯ୍ୟାୟରେ ତଦନ୍ତ କମିସନ ଧାର୍ଯ୍ୟ କରିଥିବା ଅକ୍ଟୋବର ୩୧, ୨୦୧୩ ସୁଦ୍ଧା ୮ଲକ୍ଷ ୯୬ହଜାର ୩୧୨ଟି ସତ୍ୟପାଠ ଆସିଥିଲା। ପ୍ରାଥମିକ ଯାଞ୍ଚ ପରେ ସେଥିରୁ ୭୯,୦୫୯ଟି ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଥିବାରୁ ଅବିଶିଷ୍ଟ ୮ଲକ୍ଷ ୧୭ହଜାର ୨୫୩ଟି ସତ୍ୟପାଠ ଯାଞ୍ଚ ନିମନ୍ତେ ତାଲିକା ପ୍ରସ୍ତୁତ ହୋଇଥିଲା। ଏହି ବିଜ୍ଞପ୍ତି ଅନୁସାରେ ଯେଉଁମାନେ ସତ୍ୟପାଠ ଦାଖଲ କରିନଥିଲେ ସେମାନଙ୍କୁ ପୁଣି ସୁଯୋଗ ଦେବାକୁ ଏମ୍.ଏମ୍ ଦାସ କମିସନ ଦ୍ବିତୀୟ ପର୍ଯ୍ୟାୟରେ ଜାରି କରିଥିବା ସାନି ବିଜ୍ଞପ୍ତି ଆଧାରରେ ଜାନୁଆରି ୩୧, ୨୦୧୯ ସୁଦ୍ଧା ପ୍ରାୟ ୭ଲକ୍ଷ ସତ୍ୟପାଠ କମିସନଙ୍କ ନିକଟରେ ଦାଖଲ ହୋଇଛି। ଏହିପରି ପ୍ରାୟ ୧୫ଲକ୍ଷ ସତ୍ୟପାଠ ଆସିଥିବାବେଳେ ସତ୍ୟପାଠଗୁଡ଼ିକ ମଧ୍ୟରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା କ୍ଷୁଦ୍ର ଜମାକାରୀମାନଙ୍କ ସତ୍ୟପାଠଗୁଡ଼ିକର ଡିଜିଟାଇଜେସନ୍ ନିମନ୍ତେ ଓକାକ୍କୁ ନିୟୋଜିତ କରାଯାଇଛି। ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ହେଲେ କେଉଁ ଜିଲ୍ଲାରୁ କେତେ ଜମାକରୀଙ୍କୁ ଚିହ୍ନଟ କରାଯାଇଛି , କେତେ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯାଇଛି, ବଳକା ଜମାକାରୀଙ୍କୁ କେବେ ସୁଦ୍ଧା ଅର୍ଥ ଫେରସ୍ତ ହେବ ସେନେଇ ବିଧାୟକ ଶ୍ରୀ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ମନ୍ତ୍ରୀ ଦେଇନାହାନ୍ତି।