ଭୁବନେଶ୍ୱର: ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ଦେଢ଼ ଲକ୍ଷ ସରକାରୀ ପଦବି ପୂରଣ ହେବ। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବି ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ଏକ ବର୍ଷ ମଧ୍ୟରେ ୨୭ ହଜାର ୪୨୮ ପଦବି ପୂରଣ କରାଯାଇଛି। ଆଗାମୀ ଦିନରେ ଆହୁରି ନିଯୁକ୍ତି ଆସିବ, ସେଥିପାଇଁ ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ବିଧାନସଭାରେ ବିଲ୍
ପାରିତ କରାଯିବା ସହ ଆଇନ ପ୍ରଣୟନ ହୋଇଛି। ଚାକିରି ବୟସ ସୀମାକୁ ମଧ୍ୟ ୪୨ ବର୍ଷକୁ ବୃଦ୍ଧି କରିଛୁ। ରାଜ୍ୟରେ ଆମ ସରକାର ଆସିବା ଦିନରୁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନବନିଯୁକ୍ତ ୧୨୯୪ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ରେଳ ପ୍ରେକ୍ଷାଳୟରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ଯୋଗଦେଇ ସେ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆମେ କ୍ରମାଗତ ନିଯୁକ୍ତି ମେଳା ଆୟୋଜନ କରୁଛୁ। ଦାୟିତ୍ୱ ନେବା ପରଠାରୁ ଯୁବଶକ୍ତିକୁ ନିଯୁକ୍ତି ଏବଂ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଅଭିଯାନ ଜାରି ରହିଛି। ଆମ ରାଜ୍ୟରେ ଯେତେସବୁ ନିଯୁକ୍ତି ରହିଛି, ସେଥିମଧ୍ୟରୁ ମାତ୍ର ୨% ସରକାରୀ ସ୍ତରରେ ଏବଂ ବାକି ସମସ୍ତ ବେସରକାରୀ ଓ ଶିଳ୍ପକ୍ଷେତ୍ରରେ ସୃଷ୍ଟି ହୋଇଥାଏ। ଆଗାମୀ ଦିନରେ ଆମ ରାଜ୍ୟରେ କେବଳ ଶିଳ୍ପ କ୍ଷେତ୍ରରେ ୧୩ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାକୁ ଥିବାରୁ ଯୁବପିଢ଼ିଙ୍କୁ ଶିଳ୍ପାନୁଷ୍ଠାନ ଉପଯୋଗୀ କରିବାକୁ ପଡ଼ିବ। ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ମାତ୍ର ୪ ମାସରେ ଶିଳ୍ପ କ୍ଷେତ୍ରରେ ୯୦ ହଜାର ନିଯୁକ୍ତି ପାଇଁ ବାଟ ଖୋଲିଥିବା ସେ କହିଥିଲେ।
ସରକାରଙ୍କ ବର୍ଷ ପୂର୍ତ୍ତି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ବର୍ଷକ ମଧ୍ୟରେ ପୂରଣ ହେବ ୨୭,୪୨୮ ପଦ
୭ଟି ବିଭାଗରେ ୧୨୯୪ ଜଣଙ୍କୁ ବଣ୍ଟାଗଲା ନିଯୁକ୍ତିପତ୍ର
ନିଯୁକ୍ତିପତ୍ର ଗ୍ରହଣ କରିଥିବା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଲେ, ବାପା, ମା’ଙ୍କ ଆଶୀର୍ବାଦରେ ଆପଣମାନେ ଏହି ଚାକିରି ପାଇଛନ୍ତି। ସେମାନଙ୍କ ସେବା ସବୁବେଳେ କରୁଥିବେ। ପରିବାର ଲୋକଙ୍କ ମନରେ କେବେ କଷ୍ଟ ଦେବେ ନାହିଁ। ଆମ ସମାଜରେ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି। ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାକୁ କେବେ ଭୁଲିବେ ନାହିଁ। ଆଜିଠାରୁ ଆପଣମାନେ ସରକାରଙ୍କ ଅଙ୍ଗ ଭାବେ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇବେ। ଆପଣମାନେ ଉତ୍ସର୍ଗୀକୃତ ଓ ସମର୍ପଣ ଭାବ ସହ ଲୋକଙ୍କ ସୁବିଧା, ଅସୁବିଧାକୁ ହୃଦୟଙ୍ଗମ କରି ସେବା ଯୋଗାଇଦେବେ ବୋଲି ମୋର ବିଶ୍ୱାସ ରହିଛି। ଦୁର୍ନୀତି ବିରୋଧରେ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ତେଣୁ ଦୁର୍ନୀତିଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେବା ସହ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ଭଲ କାମ କରି ନୂଆ ଓଡ଼ିଶା ନିର୍ମାଣରେ ସହାୟକ ହେବାକୁ ଆହ୍ବାନ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ, ଆମେ ସମସ୍ତେ ଲୋକଙ୍କ ଟିକସ ପଇସାରେ ଚାକିରି କରି ପଇସା ପାଉଛେ। ତେଣୁ ଲୋକଙ୍କ ସେବକ ଭାବେ କାମ କରିବା ଉଚିତ। ଆପଣମାନେ ଆମ ବିକଶିତ ଓଡ଼ିଶାର ବାହକ। ତେଣୁ ସମସ୍ତେ ମିଳିତ ଭାବେ ଲୋକଙ୍କ ସେବା କରିବାକୁ ସେ କହିଥିଲେ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଭାଗରେ ଏକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ନିଯୁକ୍ତି, ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହ ବିକଶିତ ରାଜ୍ୟ ଗଠନରେ ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଏବଂ ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱଥୀ ଏସ୍. ଧନ୍ୟବାଦ ଦେଇଥିଲେ। ଗଣଶିକ୍ଷା ବିଭାଗର ୮୨୬ଟି ସ୍ନାତକୋତ୍ତର ଶିକ୍ଷକ, ସ୍ୱାସ୍ଥ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ, କ୍ଲିନିକାଲ୍ ମନୋବିଜ୍ଞାନୀ, ମନସ୍ତତ୍ତ୍ବ ସାମାଜିକ କର୍ମୀ, ନର୍ସିଂ ଅଫିସର ଓ ଡ୍ରଗ୍ ଇନସପେକ୍ଟର ପଦବିକୁ ମିଶାଇ ୨୨୪ଟି, ବାଣିଜ୍ୟ ଓ ପରିବହନ ବିଭାଗରେ ମୋଟର ଯାନ କନିଷ୍ଠ ନିରୀକ୍ଷକ ଓ ଟ୍ରାଫିକ କନେଷ୍ଟବଳଙ୍କୁ ମିଶାଇ ୬୩ଟି, ଦକ୍ଷତା ବିକାଶ ବିଭାଗର ୮୧ଟି ଅଧ୍ୟାପକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୪୯ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ, ଅବକାରୀ ବିଭାଗର ୩୨ ଅବକାରୀ ଉପନିରୀକ୍ଷକଙ୍କ ସମେତ ଶ୍ରମ ବିଭାଗର ୧୯ଟି ପଦବିରେ ନିଯୁକ୍ତି ଦିଆଯାଇଛି। ଏହି ଅବସରରେ ନିଯୁକ୍ତି ପାଇଥିବା ନବରଙ୍ଗପୁରର ଗୀତାଞ୍ଜଳି ସୁନା, କଟକର ସୋନାଲି ଶୁଭଦର୍ଶିନୀ ଓ କେନ୍ଦୁଝରର ବ୍ରଜବନ୍ଧୁ ନାହାକ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ନିଜର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।