ରାଜ୍ୟରେ ୧୫ଲକ୍ଷ ନେଲେଣି କରୋନା ଟିକା

ଭୁବନେଶ୍ବର : ରାଜ୍ୟରେ ୧୫ ଲକ୍ଷ ଲୋକ ଏ ପର୍ଯ୍ୟନ୍ତ କରୋନା ଟିକା ନେଇସାରିଲେଣି। ଆଜି ଗୋଟିଏ ଦିନରେ ୧ଲକ୍ଷ ୧୦ହଜାର ୨୦ଜଣ ଟିକା ନେବା ପରେ ରାଜ୍ୟରେ ସମୁଦାୟ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୫ଲକ୍ଷ ୮୧ହଜାର ୩୨୮କୁ ବୃଦ୍ଧି ପାଇଛି।

ରାଜ୍ୟରେ ଏବେ ଦୈନିକ ୧ ଲକ୍ଷ ଲୋକଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ୬୦ ବର୍ଷରୁ ଅଧିକ ୯୬ ହଜାର ୫୨୯ଜଣ ଓ ୪୫-୫୯ବର୍ଷ ସହିତ ଜଟିଳ ରୋଗଧାରୀ ୫୧୮୪ଜଣଙ୍କୁ ଟିକା ଦିଆଯାଇଛି। ଏହାସହ ୫୪୧ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍, ୨୫୨୨ଙ୍କୁ ଦ୍ବିତୀୟ ଡୋଜ୍, ୭୧୩ ଆଗଧାଡ଼ିର ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଓ ୪୫୩୧ଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୯୧.୭ ପ୍ରତିଶତ ହାରରେ ୩ଲକ୍ଷ ୭ହଜାର ୧୫୯ଜଣ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ସେହିପରି ୧ଲକ୍ଷ ୭୮ହଜାର ୩୦୯ଜଣ ଆଗଧାଡ଼ିର ଯୋଦ୍ଧା ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ୬୦ ବର୍ଷରୁ ଅଧିକ ୭ ଲକ୍ଷ ୪ ହଜାର ୧୪୨ଜଣ ଓ ୪୫-୫୯ବର୍ଷର ୩୬ହଜାର ୪୩୭ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି।

ଅପରପକ୍ଷରେ ଆଗକୁ ରାଜ୍ୟରେ ଦୈନିକ ୨ଲକ୍ଷ ଟିକା ଦିଆଯିବା ଲକ୍ଷ୍ୟ ରହିଥିବା ଖବରକୁ ଖଣ୍ଡନ କରିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ। ଡା.ପାଣିଗ୍ରାହୀ କହିଛନ୍ତି, ଏବେ ଦୈନିକ ୨ଲକ୍ଷ ଡୋଜ୍ ଟିକା ଦେବା ସମ୍ଭବ ନୁହେଁ। ରାଜ୍ୟ ସରକାର ରାଜ୍ୟକୁ ୨୫ଲକ୍ଷ ଡୋଜ୍‌ର ‘କୋଭିସିଲ୍‌ଡ’ ଟିକା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାରଙ୍କ ନିକଟରେ ଯଥେଷ୍ଟ ପରିମାଣର ‘କୋଭାକ୍ସିନ୍’ ଟିକା ମହଜୁଦ ରହିଛି। ଯେହେତୁ ରାଜ୍ୟ ଜନସଂଖ୍ୟାର ୧୧ପ୍ରତିଶତ ହେଉଛନ୍ତି ୬୦ବର୍ଷରୁ ଅଧିକ, ତେଣୁ ଯଥାଶୀଘ୍ର ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବା ଉପରେ ଗୁରୁତ୍ବ ଦିଆଯାଉଛି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ପାଇଁ ଡିପ୍ ଫ୍ରିଜର୍‌, ଆଇଏଲଆର୍‌ ରାଜ୍ୟକୁ ଯୋଗାଇ ଦିଆଯାଉଛି। ଏସବୁ ଯନ୍ତ୍ରପାତିକୁ ଜିଲ୍ଲାୱାରୀ ବଣ୍ଟନ କରାଯାଉଥିବା ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏହାସହ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର, ଲିଙ୍ଗରାଜଙ୍କ ସେବାୟତ, ଜଳଯୋଗାଣ କର୍ମଚାରୀ ଓ ଅନ୍ୟମାନଙ୍କୁ ଆଗଧାଡ଼ି ଯୋଦ୍ଧା ଭାବେ ଟିକା ପ୍ରଦାନ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ଅନୁମତି ଦେବା ପରେ ରାଜ୍ୟରେ ଏସବୁ କର୍ମଚାରୀଙ୍କୁ ଟିକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର