ବଢ଼ୁଛି ରାଜନୈତିକ ତାତି: ବିଜେଡି-କଂଗ୍ରେସ ପରେ ବିଜେପିର ୧୫ ଜଣିଆ ପ୍ରତିନିଧି ଦଳର ଶିମିଳପାଳ ଗସ୍ତ

ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ନିଆଁର ସତ ଅନୁସନ୍ଧାନ ହେବ

ବାରିପଦା: ଶିମିଳିପାଳରୁ କ୍ରମଶଃ ବନାଗ୍ନି ଲିଭିବାରେ ଲାଗିଛି। ପରିବେଶ ଶୀତଳ ହେଉଛି। ମାତ୍ର ଏଥିସହିତ ତାଳ ଦେଇ କିନ୍ତୁ ବଢ଼ୁଛି ରାଜନୈତିକ ତାତି। ଶିମିଳିପାଳ ଥଣ୍ଡା ‌ପଡ଼ୁଥିଲେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ବଢ଼ୁଛି ଉତ୍ତାପ। ପ୍ରଥମେ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଶିମିଳିପାଳ ଗସ୍ତ କରିଥିଲେ। ବନାଗ୍ନିର ସତ ପରଖିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଜିଲ୍ଲା ବିଜେଡିର ଏକ ବୃହତ୍‌ ଟିମ୍‌ ନିଆଁ ଲିଭାଇବାକୁ କରିଥିଲା ବ୍ୟାପକ ଅଭିଯାନ। ଏପରିକି ଖୋଦ୍‌ ପ୍ରଣବ ପ୍ରକାଶ ବନାଗ୍ନି ପ୍ରଭାବିତ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଆଉ ଏବେ ପାଳି ପଡ଼ିଛି ବିଜେପିର।

ବିଧାନସଭା ଅଧିବେଶନ ଚାଲିଥିବାବେଳେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ଏକ ୧୫ ଜଣିଆ ପ୍ରତିନିଧି ଦଳ ଆସନ୍ତାକାଲି ସକାଳୁ ଶିମିଳପାଳ ଗସ୍ତ କରିବ। ଏହି ଟିମ୍‌ ଆଜି ରାତିରେ ବାରିପଦାରେ ପହଞ୍ଚିବେ। ରବିବାର ସକାଳୁ ଶିମିଳିପାଳର ପିଠାବଟା ଅଭୟାରଣ୍ୟ ଗସ୍ତ କରି ଏହାର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରାଯିବ ବୋଲି ବରିଷ୍ଠ ବିଧାୟକ ତଥା ପ୍ରତିନିଧି ଦଳର ମୁଖ୍ୟ ଶ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି । ଏହି ଦଳ ଲୁଲୁଙ୍ଗ, ପିଟାବାଟ, ବରେଇପାଣି, ଗୁଡଗୁଡିଆ ବାଟ ଦେଇ ଯଶୀପୁର ଯିବେ ।

ଜଙ୍ଗଲରେ ନିଆଁ ଲିଭାକୁ ନେଇ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତା’ ସତ୍ୟାସତ୍ୟ ଅନୁଧ୍ୟାନ ସହିତ ସ୍ଥାନୀୟ ବାସିନ୍ଦା, ବନ୍ୟପ୍ରାଣୀ ଏବଂ ବୃକ୍ଷଲତା କେତେ ପ୍ରଭାବିତ ହୋଇଛନ୍ତି, ସେନେଇ ଅନୁଧ୍ୟାନ କରିବ ପ୍ରତିନିଧି ଦଳ। ଗ୍ରାଉଣ୍ଡ୍‌ ଜିରୋ ତଥ୍ୟ ସଂଗ୍ରହ ପରେ ବିଧାନସଭାରେ ଲଢ଼େଇ ହେବାନେଇ ସୂଚନା ଦେଇଛନ୍ତି ଶ୍ରୀ ମିଶ୍ର। ସେହିପରି ଶିମିଳିପାଳ ଅଂଚଳରେ ବାସ କରୁଥିବା ଆଦିମ ଜନଜାତି ଖେଡ଼ିଆ ଓ ମାଙ୍କଡ଼ିଆ ଜନଜାତିଙ୍କ ସମେତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯବି। ପରେ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିବ ଏହି ପ୍ରତିନିଧି ଦଳ।

ବରିଷ୍ଠ ନେତା ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ବିଧାୟକ ସୁବାଷ ପାଣିଗ୍ରାହୀ, ସୁକାନ୍ତ ନାୟକ, ଭାସ୍କର ମଢେଇ, ନାଉରୀ ନାଏକ, ନବଚରଣ ମାଝୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଷ ରାମ ଖୁଂଟିଆ, ପ୍ରକାଶ ସୋରେନ, ଜୟନ୍ତ ଷଡଙ୍ଗୀ, ବୁଢ଼ାନ ମୁର୍ମୁ, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ, ମୟୁରଭଞ୍ଜ ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ଉପସଭାପତି ନରେନ୍ଦ୍ର ସାହୁ ପ୍ରମୁଖ ସାମିଲ ଅଛନ୍ତି । ଜିଲ୍ଲାରୁ ଏହି ପ୍ରତିନିଧି ଦଳରେ ସମସ୍ତ ୬ ବିଧାୟକଙ୍କ ସମେତ ଜିଲ୍ଲାପରିଷଦ ସଭାପତି ଏବଂ ଉପସଭାପତି ମଧ୍ୟ ସାମିଲ ଅଛନ୍ତି। ଗସ୍ତ ଶେଷ ପରେ ଯଶୀପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥିବା ପ୍ରକାଶ। ତେବେ ଶିମିଳିପାଳ ନିଆଁକୁ ନେଇ ଜିଲ୍ଲାର ଅଗ୍ରଣୀ ସଂଗଠନ ଭଞ୍ଜସେନା ପକ୍ଷରୁ ଜିଲ୍ଲା ବନ୍ଦ ମଧ୍ୟ ହୋଇସାରିଛି। ପିସିସିଏଫଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ସଚିବ ଏବଂ କେନ୍ଦ୍ରୀୟ ଟିମ୍‌ ମଧ୍ୟ ଜିଲ୍ଲାଗସ୍ତ କରିସାରିଲେଣି।

 

ସମ୍ବନ୍ଧିତ ଖବର