ଅପରେସନ୍‌ ‘ମନ୍‌ସୁନ୍‌’ : ୧୫ ନକ୍ସଲ ନିହତ; ୧୬ ରାଇଫଲ୍‌ ଜବତ, ଧରାପଡ଼ିଲେ ୨

ଗୁରୁପ୍ରିୟା ସେତୁ ପରେ ଛତ୍ରଭଙ୍ଗ ଦେଇଥିଲେ

ମାଲକାନଗିରି : ମାଲକାନଗିରି ସୀମାଠାରୁ ୪୦/୫୦ କିଲୋମିଟର ଦୂର ସୁକ୍‌ମାଠାରେ ସୁରକ୍ଷା ଯବାନ୍‌ଙ୍କୁ ଏକ ବଡ଼ଧରଣର ସଫଳତା ମିଳିଛି। ‘ଅପରେସନ୍‌ ମନ୍‌ସୁନ୍‌’ରେ ୧୫ ଜଣ ଜଣ ନକ୍ସଲ ନିହତ ହୋଇଛନ୍ତି। ଗୁଳି ବାଜି ଆହତ ହୋଇଥିବା ଅନ୍ୟ ୨ ନକ୍ସଲ ବି ଧରାପଡ଼ିଛନ୍ତି। ଅପରେସନ୍‌ ସମୟରେ ପୁଲିସ୍‌ ୧୬ଟି ରାଇଫଲ୍‌ ସହିତ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଶେଷ ଖବର ସୁଦ୍ଧା ଅପରେସନ୍‌ ଜାରି ରହିଛି। ଘଟଣାସ୍ଥଳରେ ନକ୍ସଲମାନେ ୨ଶହରୁ ଉର୍ଦ୍ଧ୍ୱ କ୍ୟାମ୍ପ କରିଥିବାବେଳେ ମୃତାହତ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି। ଗୁରୁପ୍ରିୟା ସେତୁ ପରେ ବିଚ୍ଛିନ୍ନାଞ୍ଚଳରୁ ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ସୁକ୍‌ମାରେ ଏକତ୍ରିତ ହୋଇଥିବାବେଳେ ସୁରକ୍ଷା ଯବାନ୍‌ ଚଢ଼ାଉ କରିଥିବା ଜଣାପଡ଼ିଛି।

ଜଣାପଡ଼ିଛି ଯେ, ଯେଉଁଠି ଠୁଳ ହୋଇଥିଲେ ତାହା ହେଉଛି ଛତିଶଗଡ଼ ଜଙ୍ଗଲ ଇଲାକା ଭିତରେ ଥିବା ମାଓବାଦୀଙ୍କ ଚରାଭୂଇଁ। ଲଗାଣ ମୌସୁମୀ ବର୍ଷା ଯୋଗୁ ମାଓବାଦୀଙ୍କ ଏହି ଚରାଭୂଇଁ ଜଳମଗ୍ନ ହୋଇଯାଇଥିଲା।

ଏହି ଅଞ୍ଚଳ ସହ ସଂଲଗ୍ନ ରାସ୍ତାଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଥିଲା। ଫଳରେ ମାଓବାଦୀମାନେ ସହଜରେ ବିଚରଣ କରିବା ମୁସ୍କିଲ ହୋଇପଡ଼ିଥିଲା। ଏହାର ଫାଇଦା ନେଇଥିଲେ ସୁରକ୍ଷା ବାହିନୀ। ଅଞ୍ଚଳକୁ ଟାର୍ଗେଟ୍‌ କରି ଜିଲ୍ଲା ସୁରକ୍ଷା ବଳ, ଅର୍ଦ୍ଧସାମରିକ ସିଆର୍‌ପିଏଫ୍‌ ଏବଂ ସ୍ୱତନ୍ତ୍ର ଟାସ୍କ ଫୋର୍ସ ବ୍ୟାପକ ରଣକୌଶଳ ପ୍ରସ୍ତୁତ କରିଥିଲେ। ସୁକ୍‌ମାର ଗୋଲାପଲି ଓ କୋଣ୍ଟା ମଧ୍ୟରେ ଥିବା ଜଙ୍ଗଲ ମଧ୍ୟରେ ମିଳିତ ସୁରକ୍ଷା ବାହିନୀ ଖେଦିଯାଇଥିଲେ। ପୃଥକ୍‌ ପୃଥକ୍‌ ଟିମ୍‌ କରି ସୁରକ୍ଷା ବାହିନୀ ଅଞ୍ଚଳକୁ ଟାର୍ଗେଟ୍‌ କରିଥିଲେ। ଏହି ସମୟରେ ଜଙ୍ଗଲରେ ଲୁଚିରହିଥିବା ୨୦୦ ମାଓବାଦୀଙ୍କ ସହ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା। ଏହାପରେ ଆଖିବୁଜା ଗୁଳିବିନିମୟ ଆରମ୍ଭ ହୋଇଥିଲା। ପୂର୍ବରୁ ମାଓବାଦୀମାନେ ପ୍ରସ୍ତୁତ ନଥିବାରୁ ସେମାନଙ୍କୁ ଦମନ କରିବା ଏକପ୍ରକାର ସୁବିଧାଜନକ ହୋଇଥିଲା। ମାଓବାଦୀମାନେ କିଛି ଭାବିବା ପୂର୍ବରୁ ସୁରକ୍ଷା ବାହିନୀମାନେ ସାଂଘାତିକ ଆକ୍ରମଣ କରିଥିଲେ। ଫଳରେ ଗୋଟିକ ପରେ ଗୋଟିଏ ମାଓବାଦୀ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ଏହିଭଳି ଭାବେ ମୋଟ ୧୫ ମାଓବାଦୀଙ୍କୁ ନିପାତ କରିବାରେ ସୁରକ୍ଷା ବାହିନୀ ସଫଳ ହୋଇଥିଲେ। ନିହତ ନକ୍ସଲଙ୍କ ପରିଚୟ ମିଳିଛି। ସେମାନେ ହେଲେ, କମାଣ୍ଡର ବାଞ୍ଜାମ ହୁଙ୍ଗା, ମୁଚାକି ହିଡମା, ମାଡକାମ ଗଙ୍ଗା, ହୁଙ୍ଗା, ମୁଚାକି ମୁକ୍କା, ଦେବ, ମାଡ଼କାମ ଟେଙ୍କ, ମୁଚାକି ହିଡମା, ମାଡକାମ ଶଶା, ମାଡକାମ ହୁଙ୍ଗା, ମୁଚାକି ନନ୍ଦ ଓ ସୀତ ପ୍ରମୁଖ। କିନ୍ତୁ ଅନ୍ୟମାନେ ଜୀବନ ବିକଳରେ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିବାରେ ସମର୍ଥ ହୋଇଥିବା ସୁକ୍‌ମା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସୁରକ୍ଷା ବାହିନୀରେ ଗୁଳିରେ ଆହତ ହୋଇଥିବା ମାଓବାଦୀମାନେ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ୧୬ଟି ଅତ୍ୟାଧୁନିକ ବନ୍ଧୁକ ସହ ବ୍ୟାନର, ପୋଷ୍ଟର, ଔଷଧ, ଡିଟୋନେଟର, ବିଦ୍ୟୁତ ତାର, ବ୍ୟାଟେରି, ଦୈନନ୍ଦିନ ସାମଗ୍ରୀ ଜବତ କରାଯାଇଛି। ଘଟଣାସ୍ଥଳ ଠାରୁ ବହୁ ଦୂର ପର୍ଯ୍ୟନ୍ତ ରକ୍ତଛିଟା ସହ ଘୋଷରା ହେବା ଚିହ୍ନ ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଉଛି। କିଛି ଟପ୍‌ କ୍ୟାଡର ନକ୍ସଲଙ୍କ ଶବକୁ ଘଟଣା ସ୍ଥଳରୁ ନେଇଯିବାରେ ନକ୍ସଲ ସଫଳ ହୋଇଥିବା ସୂଚନା ରହିଛି। ସୁକମା ଅଞ୍ଚଳରେ ଏହା ହେଉଛି ସବୁଠାରୁ ବଡ଼ଧରଣର ଏନକାଉଣ୍ଟର।

ଅପରପକ୍ଷରେ ଘଟଣାସ୍ଥଳ ମାଲକାନଗିରି ସୀମା ଠାରୁ କିଛି ଘଣ୍ଟାର ଦୂର। ତେଣୁ ପ୍ରାଣ ବିକଳରେ କ୍ୟାମ୍ପ ଛାଡ଼ିଥିବା ଶତାଧିକ ନକ୍ସଲ ଆତ୍ମଗୋପନ ପାଇଁ ପୁଣିଥରେ ମାଲକାନଗିରି ଜିଲ୍ଲାରେ ପଶିବେ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ମାଲକାନଗିରି ପୁଲିସ ସୀମାନ୍ତକୁ ସିଲ୍‌ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଗୁଇନ୍ଦା ବାହିନୀ ସକ୍ରିୟ ହୋଇ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିଥିବା କୁହାଯାଉଛି। ତେବେ ଅପରେସନରେ ସାମିଲ ହୋଇଥିବା ଯବାନମାନେ କ୍ୟାମ୍ପକୁ ଫେରି ନଥିବାରୁ ନକ୍ସଲଙ୍କ ଘଞ୍ଚ ଜଙ୍ଗଲରେ ଖୋଜିବା ଜାରି ରଖିଛନ୍ତି। ଆଗାମୀ ୨୪ରୁ ୪୮ଘଣ୍ଟା ମଧ୍ୟରେ ଏହି ଅଞ୍ଚଳକୁ ସିଲ କରି ରଖିବା ସହ ଅପରେସନକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର