ବୈଜୟନ୍ତଙ୍କୁ ଅବଗତ କରାଇଲେ ଦୂତାବାସ, କୁଏତ୍‌ରେ ଫସିଥିବା ୧୫ ଓଡ଼ିଆ ଶ୍ରମିକ ଫେରୁଛନ୍ତି

ଭୁବନେଶ୍ବର : କୁଏତ୍‌ରେ ଫସିଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆଳି, ପଟ୍ଟାମୁଣ୍ଡାଇ ଅଞ୍ଚଳର ୧୫ ଜଣ ଓଡ଼ିଆ ଶ୍ରମିକ ଆସନ୍ତା ଇଦ୍‌-ଉଲ୍‌-ଜୁହା ଛୁଟି ପରେ ଫେରିଆସିବେ। ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଉଦ୍ୟମ କରିଥିଲେ। କୁଏତରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଶ୍ରମିକମାନେ ଫେରୁଥିବା ସମ୍ପର୍କରେ ଶ୍ରୀ ପଣ୍ଡାଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।

ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ମଲିପୁର ଗ୍ରାମର ରତ୍ନାକର ମଲ୍ଲିକଙ୍କ ପୁଅ ସଞ୍ଜିବ କୁମାର ମଲ୍ଲିକଙ୍କ ସମେତ ଅନ୍ୟ ୧୪ ଜଣ ୨୦୧୮ ମସିହା ଅଗଷ୍ଟ ୮ ତାରିଖରେ କୁଏତ ଯାଇଥିଲେ। ସେମ‌ାନଙ୍କୁ ନେଇଥିବା ଠିକାଦାର ଭଲ ଚାକିରି ଓ ଦରମାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର, ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଭଲ କାମ ମିଳିନଥିଲା। ଅତି ଦୟନୀୟ ଅବସ୍ଥାରେ କାମ କରିବା ସହିତ କୌଣସି ପରିସ୍ଥିତିରେ ଛୁଟି ମିଳୁନଥିଲା। ଏପରି ଅସୁସ୍ଥ ହେଲେ ମଧ୍ୟ ଚିକିତ୍ସା ପାଇଁ କମ୍ପାନି କର୍ତ୍ତୃପକ୍ଷ ସେମାନଙ୍କୁ ବାହାରକୁ ଛାଡ଼ୁନଥିଲେ। ଶେଷ‌େର, କମ୍ପାନି କର୍ତ୍ତୃପକ୍ଷ ସେମାନଙ୍କୁ ବେଆଇନ୍‌ ଭାବେ ଚାକିରିରୁ ବାହାର କରିଦେଇଥିଲେ।

ଫଳରେ, ଗତ କିଛିମାସ ଧରି ଏହି ଶ୍ରମିକମାନେ କୁଏତ୍‌ର ରାସ୍ତାକଡ଼ରେ ରହି ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ। ଏହି ଶ୍ରମିକମାନଙ୍କ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ। ଏହି ଶ୍ରମିକମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ କୁଏତ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପଦ‌େକ୍ଷପ ନେବା ପାଇଁ ଶ୍ରୀ ପଣ୍ଡା ଚିଠି ଲେଖି ଅନୁରୋଧ କରିଥିଲେ। ଦୂତାବାସ କାର୍ଯ୍ୟାଳୟ ତୁରନ୍ତ କୁଏତ ଶ୍ରମ ମନ୍ତ୍ରାଳୟ ସହିତ ଯୋଗାଯୋଗ କରି ଶ୍ରମିକମାନଙ୍କୁ ଜରୁରୀକାଳୀନ ପ୍ରମାଣପତ୍ର ଯୋଗାଇଥିଲେ ଏବଂ ଇଦ୍‌-ଉଲ୍‌-ଜୁହା ଛୁଟିପରେ ୧୫ ଓଡ଼ିଆ ଶ୍ରମିକଙ୍କ ସମେତ ମୋଟ ୧୭ ଜଣ ଭାରତ ଫେରୁଥିବା ନେଇ ଶ୍ରୀ ପଣ୍ଡାଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର