ବାଲେଶ୍ବର: ବଦଳିଛି ଅନାଥଙ୍କ ଭାଗ୍ୟ। ଅଭାବ ଅନଟନ ଯେଉଁମାନଙ୍କ ପରିଚୟ ହୋଇଥାନ୍ତା, ସେମାନଙ୍କୁ ମିଳିଛି ଆଜି ନୂଆ ଭବିଷ୍ୟତ। ପିତାମାତା ହରାଇଥିବା ନିଃସନ୍ତାନଙ୍କୁ ମିଳିଛି ନୂଆ ପରିଚୟ। ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇ ସ୍ବଚ୍ଛନ୍ଦ ଜୀବନ ବିତାଉଛନ୍ତି। ମୁହଁରେ ଓଡ଼ିଆ ବଦଳରେ ହିନ୍ଦୀ, ଇଂରାଜୀ ଭାଷା। ବାପାମା’ଙ୍କ ସ୍ନେହଶ୍ରଦ୍ଧା ସହ ‌ସେମାନଙ୍କୁ ମିଳିଛି ଗୋଟିଏ ସୁନେଲି ଭବିଷ୍ୟତ। ବାଲେଶ୍ବରର ଅନାଥ ପିଲା ଆଜି ଦେଶ ଏବଂ ଦେଶ ବାହାରେ ସନ୍ତାନହୀନ ଦମ୍ପତିଙ୍କ କୋଳରେ ବଢ଼ୁଛନ୍ତି।

Advertisment

‘କାରା’ (ସେଣ୍ଟ୍ରାଲ ଆଡପସନ୍‌ ରିସୋର୍ସ ଅଥରିଟି) ଓ ‘ସାରା’ (ଷ୍ଟେଟ୍‌ ଆଡପସନ୍‌ ରିସୋର୍ସ ଏଜେନ୍ସି) ଜରିଆରେ ନିଃସନ୍ତାନ ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣ କରୁଛନ୍ତି। କାରା ଜରିଆରେ ବିଦେଶୀ ଦମ୍ପତି ଓ ସାରା ଜରିଆରେ ଭାରତୀୟ ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ଏହି କ୍ରମରେ ବାଲେଶ୍ବର ଜିଲ୍ଲାରୁ ମୋଟ୍‌ ୧୫ ଜଣ ଅନାଥ ପିଲାଙ୍କୁ ତିନି ବର୍ଷ ମଧ୍ୟରେ ଦେଶ ଏବଂ ଦେଶ ବାହାରେ ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣ କରିଛନ୍ତି। ଏହି ଅନାଥ ପିଲା ଆଜି ସ୍ପେନ୍‌, ଇଟାଲି, ମୁମ୍ବାଇ, ଦିଲ୍ଲୀ, କେରଳ, ମହାରାଷ୍ଟ୍ର, କଲିକତା, ଆନ୍ଧ୍ରପ୍ରଦେଶର ବାସିନ୍ଦା ହୋଇଛନ୍ତି। ଜିଲ୍ଲାରେ ୨୦୧୮ ମସିହାରେ ପୋଷ୍ୟସନ୍ତାନ ଗ୍ରହଣ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଏତିକି ବର୍ଷ ଭିତରେ ବାଲେଶ୍ବର ଜିଲ୍ଲାର ବହୁ ଅନାଥ ପିଲା ସନ୍ତାନହୀନ ଦମ୍ପତିଙ୍କ ମୁହଁ ହସ ଫୁଟାଇ ପାରିଛନ୍ତି।

publive-image The New Indian Express

ସୂଚନା ମୁତାବକ, ୨୦୨୧ ମସିହାରେ ସ୍ପେନ୍‌ର ଦମ୍ପତି ଜଣେ ଅନାଥ ଶିଶୁକନ୍ୟାକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। ସେହିପରି ଏହି ବର୍ଷ ଅର୍ଥାତ୍‌ ୨୦୨୧ରେ ଦୁଇ ଜଣ ଅନାଥ ଶିଶୁକନ୍ୟାକୁ ଇଟାଲି ଦମ୍ପତି କୋଳେଇ ନେଇଥିଲେ। ସେମିତି ୧୨ ଜଣ ଶିଶୁପୁତ୍ରଙ୍କୁ ଆନ୍ଧ୍ର, କେରଳ, କଲିକତା, ଓଡ଼ିଶା, ମୁମ୍ବାଇର ନିଃସନ୍ତାନ ଦମ୍ପତି କୋଳେଇ ନେଇଛନ୍ତି। କରୋନା ପାଇଁ ପୋ‌ଷ୍ୟସନ୍ତାନ ଗ୍ରହଣ ପ୍ରକ୍ରିୟା ଧିମେଇ ଯାଇଥିବା ବେଳେ ଏବେ ପୁଣି ସ୍ବାଭାବିକ ହୋଇଛି। ଆଗାମୀ ଦିନରେ ୩ ଜଣ ପିଲାଙ୍କୁ ପୋଷ୍ୟସନ୍ତାନ ଗ୍ରହଣ ପ୍ରକ୍ରିୟାରେ ସାମିଲ କରାଯାଇଥିବା ଶିଶୁ ସୁରକ୍ଷା ୟୁନିଟ୍‌ ବିଭାଗ ପକ୍ଷରୁ ଜଣାପଡ଼ିଛି।

ସୂଚନାଥାଉକି, ବାଲେଶ୍ବର ଜିଲ୍ଲାରେ ମୋଟ୍‌ ୮ଟି ଶିଶୁ ସୁରକ୍ଷା ଅନୁଷ୍ଠାନ ରହିଛି। ନୀଳଗିରି, ବସ୍ତା, ଜଳେଶ୍ବର, ସୋର, ଔପଦା, ଗୋପାଳପୁର, ବାଲେଶ୍ବର ସହରସ୍ଥିତ ଉତ୍କଳ ବାଳାଶ୍ରମ ଓ କୁରୁଡ଼ାରେ ଶିଶୁ ସୁରକ୍ଷା ଅନୁଷ୍ଠାନରେ ଏହି ଅନାଥ ପିଲା ରହିଥାନ୍ତି। ନିୟମ ଅନୁସାରେ, ନିଃସନ୍ତାନ ଦମ୍ପତି ପିଲାଙ୍କୁ କୋଳେଇ ନେବା ପରେ ଏମାନେ କେମିତି ରହିଛନ୍ତି, କଣ କରୁଛନ୍ତି ଏ ବିଷୟରେ ବିଭାଗ ପକ୍ଷରୁ ନିରନ୍ତର ବ୍ୟବଧାନରେ ତଦାରଖ କରାଯାଇଥାଏ। ଆଉ କୌଣସି ଅସୁବିଧା ଥିଲେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବି କରାଯାଉଛି। ହେଲେ ଆଜି ପର୍ଯ୍ୟନ୍ତ ସେମିତି କିଛି ଅସୁବିଧା ହୋଇନି। ବରଂ ଦମ୍ପତିଙ୍କ ପାଖରେ ପିଲାମାନେ ଖୁସିରେ ରହିଛନ୍ତି। ଯେଉଁ ଭବିଷ୍ୟତ ସେମାନଙ୍କୁ ମିଳିଛି, ସେମାନେ କେବେ ପାଇନଥାନ୍ତେ ବୋଲି ବିଭାଗର କର୍ମଚାରୀ କହିଛନ୍ତି।