ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ: ବିଧାନସଭାରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ, ସର୍ବସମ୍ମତି କ୍ରମେ ହେଲା ପାରିତ

ଭୁବନେଶ୍ବର: ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର। ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ବଡ଼ ଭେଟି ଦେଇଛନ୍ତି। ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ସଂକଳ୍ପ ଆଣିଛନ୍ତି। ନାମଲେଖା ସମୟରେ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ । ନବୀନ ବିଧାନସଭାରେ ଏହି ସଂକଳ୍ପ ଆଣିଥିବା ବେଳେ ସର୍ବସମ୍ମତି କ୍ରମେ ଏହା ପାରିତ ହୋଇଥିବା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି।

ସରକାରଙ୍କ ଏଭଳି ନିଷ୍ପତ୍ତି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଲାଭଦାୟକ ହେବ। ଗ୍ରାମାଞ୍ଚଳରେ ଇଞ୍ଜନିୟରିଂ ଓ ମେଡିକାଲ ପଢ଼ିବାକୁ ଚାହୁଁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ଯଥେଷ୍ଟ ସହାୟକ ହେବ। ଏହାବାଦ ସରକାରଙ୍କ ଏହି ନିଷ୍ପତ୍ତି ସରକାରୀ ସ୍କୁଲରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଆଗ୍ରହ ସୃଷ୍ଟି କରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସଂକଳ୍ପକୁ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ସମର୍ଥନ କରିଛନ୍ତି ।

ସମ୍ବନ୍ଧିତ ଖବର