ଭୁବନେଶ୍ବର: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି।
Advertisment
ପ୍ରକାଶଯୋଗ୍ୟ ଯେ ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଗତ ଜୁଲାଇ ମାସରେ ଅନୁମୋଦନ ଦେଇଥିଲେ। ଏହା ସହିତ ଆଜି ଏହି ନୂତନ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ପଦବି ଅନୁମୋଦନ କରିଛନ୍ତି। ଏହି ପଦବି ଗୁଡିକ ହେଲା- ଗୋଟିଏ ଷ୍ଟେସନ ଅଫିସର, ଦୁଇଟି ଲିଡିଂ ଫାୟାରମ୍ୟାନ୍‌, ଗୋଟିଏ ଡ୍ରାଇଭର-ହାବିଲଦାର, ଗୋଟିଏ ଫାୟାରମ୍ୟାନ ଡ୍ରାଇଭର ଏବଂ ୧୦ଟି ଫାୟାରମ୍ୟାନ ପଦବି । ଖୁବଶୀଘ୍ର ଏହି ପଦବି ଗୁଡିକ ପୂରଣ ହୋଇ ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟକ୍ଷମ ହେବା ଦ୍ବାରା ଏଠାକାର ଲୋକେ ଉପକୃତ ହେବେ।