ୟୁକ୍ରେନ‌ରୁ ଫେରିଲେ ୧୫, ରୋମାନିଆରେ ଅଟକିଛନ୍ତି ୨

ଯାଜପୁର/ଦନଗଦୀ : ଯାଜପୁର ଜିଲ୍ଲାର ୧୭ ଛାତ୍ରଛାତ୍ରୀ ଯୁଦ୍ଧତ୍ରସ୍ତ ୟୁକ୍ରେନ୍‌ରୁ ବାହାରି ଆସିବାରେ ସଫଳ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣ ଘରେ ପହଞ୍ଚିଛନ୍ତି। ଆଉ ଦୁଇଜଣ ରୋମାନିଆ ବିମାନବନ୍ଦରରେ ଅଟକି ରହିଛନ୍ତି। ଛାତ୍ର ପ୍ରଳୟ କୁମାର ନାୟକ ପାସପୋର୍ଟ ହଜାଇ ଦେଇଥିବାରୁ ରୋମାନିଆ ବିମାନବନ୍ଦରରେ ଫସି ରହିଥିବା ସୂଚନା ମିଳିଛି। ରସୁଲପୁରର ରଂଜନ କୁମାର ପଣ୍ଡା ମଧ୍ୟ ଭାରତ ଆସିବାକୁ ରୋମାନିଆ ବିମାନବନ୍ଦରରେ ଅପେକ୍ଷା କରି ରହିଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୁକିନ୍ଦା ତହସିଲ ଅଧୀନ କଲରଙ୍ଗିଅତାସ୍ଥିତ ଏସ୍‌ସିଏମ୍‌ ଟିସ୍କୋ କଲୋନିର ରୋଜାଲିନ ପରିଡ଼ା ସୁରକ୍ଷିତ ଭାବେ ତାଙ୍କ ଘରେ ପହଞ୍ଚିଛନ୍ତି। ଦର୍ପଣ ତହସିଲ ଅଧୀନ ବରୀଠେଙ୍ଗଡ଼ର ଅବଦୁଲ୍ଲା ମଞ୍ଜର ଅଲ୍ଲୀ ଖାନ ୟୁକ୍ରେନରୁ ସୁରକ୍ଷିତ ଭାବେ ଆସି ନୂଆଦିଲ୍ଲୀ ଓଡ଼ିଶା ଭବନରେ ପହଞ୍ଚିଛନ୍ତି। ଯାଜପୁର ତହସିଲ ଜାଲପୁର ଗ୍ରାମର ବିକାଶ ଚନ୍ଦ୍ର ପାଢ଼ୀ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭାଗବତପୁରର ଦିବ୍ୟାଂଶୁ ଦିବ୍ୟପ୍ରକାଶ ବେହେରା ପୋଲାଣ୍ଡ ଦେଇ ସୁରକ୍ଷିତ ଭାବେ ଭାରତ ଫେରୁଛନ୍ତି।

ଲଳିତେଶ୍ବର ନଗର ଯାଜପୁରର ସ୍ମୃତିରଂଜନ ଧଳ ଘରେ ପହଞ୍ଚିଛନ୍ତି। ରସୁଲପୁରର ସୌମ୍ୟରଂଜନ ପଣ୍ଡା ରୋମାନିଆ ବିମାନବନ୍ଦରରେ ଥିବା ଜଣାପଡ଼ିଛି। ରସୁଲପୁର ମାଣିତ୍ରୀର ମନୀଷ କୁମାର ପଣ୍ଡା ଘରେ ପହଞ୍ଚିଛନ୍ତି। ଦଶରଥପୁର ତହସିଲ ନୀଳକଣ୍ଠପୁରର ବର୍ଷା ରାୟ ଓ ରାମବାଗ ମାସଡ଼ାର ଇତିଶ୍ରୀ ସାମଲ ଭୁବ‌ନେଶ୍ବରରେ ପହଞ୍ଚିଛନ୍ତି। ସେହିପରି କନିକାପଡ଼ାର ପିନାକୀ ପ୍ରସାଦ ରାୟ, ଦାନଗଦୀ ତହସିଲ ମାନଗୋବିନ୍ଦପୁରର ସତ୍ୟବ୍ରତ ସାହୁ ଘରେ ପହଞ୍ଚିଛନ୍ତି।

ବ୍ୟାସନଗର ତହସିଲ ରାମକୃଷ୍ଣପୁରର ଅଚ୍ୟୁତାନନ୍ଦ ସ୍ବାଇଁ, ଛୋଟରାୟପୁରର କେୟତିଶ ପଣ୍ଡା, ଚୋରଦା ମ‌ହେଶ ସତୀଶ ପାଠକ ଘରେ ପହଞ୍ଚି ସାରିଛନ୍ତି। ବ୍ୟାସନଗର ତହସିଲ ବିରୁଆଁପଦାର ପ୍ରଳୟ କୁମାର ନାୟକ ରୋମାନିଆ ବିମାନବନ୍ଦରରେ ପହଞ୍ଚିଛନ୍ତି। ଧର୍ମଶାଳା ତହସିଲ ନେଉଳପୁରର କବିତା ରାଓ ଘରେ ପହଞ୍ଚିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଛାତ୍ରଛାତ୍ରୀଙ୍କ ପରିବାର ସହ ଫୋନ ଯୋଗେ ତହସିଲଦାର, ଅତିରିକ୍ତ ତହସିଲଦାର ତଥା ଅନ୍ୟ ଅଧିକାରୀମାନେ ଯୋଗାଯୋଗ କରିଥିଲେ ବୋଲି କୁହାଯାଇଛି।

ଦାନଗଦୀ ବ୍ଲକ ମାନଗୋବିନ୍ଦପୁର ଗ୍ରାମର ବ୍ରଜମୋହନସାହୁ ଓ ପ୍ରଭାବତୀ ସାହୁଙ୍କ ବଡ଼ପୁଅ ସତ୍ୟବ୍ରତ ଛଅଦିନର କଷ୍ଟକର ଯାତ୍ରା ସାରି ଆଜି ନିଜ ଘରେ ପହଞ୍ଚିବା ପରେ କଷ୍ଟକର କାହାଣୀ ବର୍ଣ୍ଣନା କରିଛନ୍ତି। ସେ ଖାରଖିଭ ନେସନାଲ ମେଡିକାଲ ୟୁନିଭର୍ସିଟିରେ ପଞ୍ଚମ ବର୍ଷର ଛାତ୍ର ଥିଲେ। ସତ୍ୟବ୍ରତ କୁହନ୍ତି, ବଙ୍କରରୁ ପାଞ୍ଚ କିଲୋମିଟର ଚାଲିଚାଲି ଷ୍ଟେସନରେ ପହଞ୍ଚିଥିଲେ। ଆଉ ପାଞ୍ଚ କିଲୋମିଟର ଟାକ୍ସି ଦଶ ହଜାର ଟଙ୍କା ଭଡ଼ା ଦେଇଛନ୍ତି। ଦୀର୍ଘ ୨୮ ଘଣ୍ଟା ଟ୍ରେନର ବାଥରୁମ୍‌ରେ ବସି ଆସିବା ସହ ନୂଆ ଜୀବନ ପାଇଛି ବୋଲି କୋହଭରା କଣ୍ଠରେ ସେ କହିଛନ୍ତି। ବୋମା ମାଡ଼ ହେଉଥିବା ସ୍ଥାନରୁ ବାହାରି ବହୁ ବାଧାବିଘ୍ନ ପରେ ଗାଁ ମାଟିରେ ପହଞ୍ଚିଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପରିବାରବର୍ଗ ବଡ଼ଭାଇ ବଳରାମ ସାହୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର