ରାୟଗଡ଼ା: ହାତୀ, ବାଘ ଆଉ ଅନ୍ଧାର ଭୟଠୁ ବଳିଗଲା ପେଟର ଭୋକ। ‌ରାତି ୩ଟାରୁ ୨୦କିମି ଚାଲିଚାଲି ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ସେବାଶ୍ରମ ବିଦ୍ୟାଳୟର ୧୫ ଛାତ୍ର। ଦ୍ବିତୀୟ ଶନିବାର ସରକାରୀ ଛୁଟି ହୋଇଥିବାରୁ ପିଲାମାନେ ଜିଲ୍ଲାପାଳଙ୍କୁ ଭେଟି ପାରିଲେନି। ଶେଷରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ରାୟଗଡା ବ୍ଲକ ଜେମାଦେଈପେଣ୍ଠ ପଞ୍ଚାୟତ ବଡରାଇସିଂ ସେବାଶ୍ରମର ଛାତ୍ରମାନେ ବେଦନା ଜଣାଇଛନ୍ତି। ସ୍କୁଲରେ ଖାଇବାକୁ ମିଳୁନାହିଁ ଏବଂ କିଭଳି ନିର୍ଯାତନା ‌ଦିଆଯାଉଛି ବଖାଣିଛନ୍ତି। ପ୍ରଧାନଶିକ୍ଷକ ସ୍କୁଲର ସବୁ କାମ କରାଇ ଅଯଥାରେ ମାଡ଼ ମାରିବା ସହ ତେଲୁଗୁ ଭାଷାରେ ପଢ଼ାଉଥିବା ଅଭିଯୋଗ କରିଛନ୍ତି।

Advertisment

ଆଜି ଭୋର ପ୍ରାୟ ୩ଟାରେ ପିଲାମାନେ ହଷ୍ଟେଲ କାନ୍ଥ ଡେଇଁ ରାୟଗଡ଼ା ଅଭିମୁଖେ ବାହାରିଥିଲେ। ପାଦେ ପାଦେ ବିପଦ ରହିଥିଲେ ସୁଦ୍ଧା ବେଖାତିର କରି ପ୍ରାୟ ୨୦କିଲୋମିଟର ଚାଲିଥିଲେ। ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବା ପାଇଁ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମଧ୍ୟ ଛୁଟି ଯୋଗୁଁ ନିରାଶ ହୋଇଥିଲେ। ଅନ୍ୟପଟେ ଖବର ପ୍ରଘଟ ହେବା ପ‌ରେ ଅତିରିକ୍ତ ମଙ୍ଗଳ ଅଧିକାରୀ ଏବଂ ଡବ୍ଲୁଇଓ ତଥା ସ୍କୁଲର ପ୍ରଧାନଶିକ୍ଷକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିଥିଲେ। ପିଲାଙ୍କୁ ଫେରାଇ ନେବାକୁ ‌ସମସ୍ତେ ମିଳିମିଶି ଉଦ୍ୟମ କରିଥିଲେ। ହେଲେ ପିଲାମାନେ ମନ୍ତ୍ରୀଙ୍କୁ ଭେଟିବାକୁ ଅଡ଼ି ବସିଥିଲେ। ଶେଷରେ ମନ୍ତ୍ରୀଙ୍କୁ ଭେଟି ମନର ବ୍ୟଥାକୁ ଜଣାଇଥିଲେ। ସ୍କୁଲରେ ମୋଟ ୨୪୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୧୦୦ଜଣ ଛାତ୍ର ଓ ୧୪୦ଜଣ ଛାତ୍ରୀ ହଷ୍ଟେଲରେ ରହୁଛନ୍ତି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏଠାରେ ପାଠପଢ଼ା ସୁବିଧା ରହିଛି। ଏତେ ସଂଖ୍ୟକ ପିଲାଙ୍କ ପାଇଁ ମାତ୍ର ୩ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ରହିଛନ୍ତି।

କିଛିଦିନ ତଳେ ରାୟଗଡ଼ା ସଦର ମହକୁମାର ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ ହଷ୍ଟେଲ ପିଲା ନିର୍ଯାତନାରେ ଅତିଷ୍ଠ ହୋଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ। ସଦ୍ୟତମ ଘଟଣାରେ ପିଲାମାନେ ମନ୍ତ୍ରୀଙ୍କୁ ଭେଟି ବିଦ୍ୟାଳୟର ସମସ୍ୟା ସମ୍ପର୍କରେ କହିଛନ୍ତି। ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାତିରେ ଯଦି କୌଣସି ପିଲା ସହ କିଛି ଅଘଟଣ ଘଟିଥାନ୍ତା କିଏ ଦାୟୀ ରହିଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଖୋଦ୍‌ ମନ୍ତ୍ରୀଙ୍କ ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀ ବାରମ୍ବାର ନିର୍ଯାତିତ ଓ ଅବହେଳିତ ହେଉଥିବା ଭଳି ଘଟଣା ସାମ୍ନାକୁ ଆସୁଛି। ବାରମ୍ବାର ଏପରି ଅନିୟମିତତା ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।