ମଠ ଉଚ୍ଛେଦ ପ୍ରସଙ୍ଗ: ୧୫ ଜଣିଆ ସର୍ବଦଳୀୟ କମିଟି ଗଠିତ

ଆଜି ଜିଲ୍ଲାପାଳଙ୍କ ସହିତ କରିବେ ଆଲୋଚନ‌ା

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ନିଷ୍ପତ୍ତି ପରେ ପ୍ରଶାସନ ଏବେ ମଠ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି। ଲଙ୍ଗୁଳି ମଠ, ଏମାର ମଠ ଭାଙ୍ଗିବା ପରେ ଏବେ ବଡ଼ଆଖଡ଼ା ମଠ ଭାଙ୍ଗିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଆଜି ବଡ଼ଆଖଡ଼ା ମଠ ଭାଙ୍ଗିବା ପୂର୍ବରୁ ବିବାଦୀୟ ପରିସ୍ଥିତି ଦେଖାଦେଇଛି। ମଠ ମହନ୍ତଙ୍କ ସମେତ ଅନ୍ୟ ନାଗା ସାଧୁସନ୍ଥମାନେ ଏହାର ପ୍ରତିବାଦ ଜଣାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଭଳି ବିବାଦୀୟ ପରିସ୍ଥିତି ଭିତରେ ପୁରୀ ଟାଉନ୍ ହଲଠାରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ପୁରୀ ସୁରକ୍ଷା ମଞ୍ଚ ନାଁରେ ଏକ ସଂଗଠନ ଗଠନ କରାଯାଇଛି। ଏ ନେଇ ଏକ ୧୫ଜଣିଆ କମିଟି ବି ଗଠନ କରାଯାଇଛି। ଏହି କମିଟି ଆସନ୍ତାକାଲି ପୂର୍ବାହ୍ଣ ୧୧ଟାରେ ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ରାଜନୈତିକ ନେତୃବୃନ୍ଦଙ୍କ ସମେତ ଆଇନଜୀବୀ, ସେବାୟତ, ସ୍ବେଚ୍ଛାସେବୀ, ମଠ ମହନ୍ତ, ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଆଜି ସଂଧ୍ୟାରେ ପୁରୀ ଟାଉନ୍ ହଲଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମଠ ଉଚ୍ଛେଦକୁ ବିରୋଧ କରାଯାଇ ଶ୍ରୀମନ୍ଦିର ପରମ୍ପରା ସହ ମଠ ସଂସ୍କୃତି ଜଡ଼ିତ ଥିବାରୁ ମଠ ଭାଙ୍ଗିବା ପୂର୍ବରୁ ଏ ଦିଗରେ ବିଚାର କରାଯିବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା। ନବ‌କଳେବର ସମୟରେ ଶ୍ରୀମନ୍ଦିର ଚାରିପାଖରୁ ବହୁ ଦୋକାନ ଘର ଉଚ୍ଛେଦ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ସେମାନଙ୍କ ଥଇଥାନ ବ୍ୟବସ୍ଥା କରାଯାଇ ନ ଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ‘ଆଗ ଥଇଥାନ, ପରେ ଉଚ୍ଛେଦ’ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଅନ୍ୟପଟେ ଶ୍ରୀମନ୍ଦିର ସହ ମଠ ସଂସ୍କୃତି ଜଡ଼ିତ ଥିବାରୁ ଏହାର ସୁରକ୍ଷା ଦିଗ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସମସ୍ତେ ମତ ଦେଇଥିଲେ। ଉଚ୍ଛେଦ ପୂର୍ବରୁ ଏ ନେଇ ପ୍ରଶାସନ ଆଲୋଚନା କରିବାର ଆବଶ୍ୟକତା ରହିଥିଲା। କିନ୍ତୁ ବିନା ଆଲୋଚନାରେ ଉଚ୍ଛେଦ ନିଷ୍ପତ୍ତି ବେଆଇନ। ଏହି ବେଆଇନ ଉଚ୍ଛେଦ ବନ୍ଦ କରାଯାଉ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି, ସେ ସଂପର୍କରେ ବି ଅଧିକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସମସ୍ତେ ମତ ଦେଇଥିଲେ। ଉଚ୍ଛେଦ ଓ ସୌନ୍ଦର୍ଯ୍ୟୀକରଣର ମଡେଲ୍ ସର୍ବସାଧାରଣରେ ଉପସ୍ଥାପନ ପାଇଁ ଦାବି ହୋଇଥିଲା।

ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ପୁଷ୍କର ମହାପାତ୍ର, ଜ୍ୟୋତିପ୍ରକାଶ ମିଶ୍ର, ଦାମୋଦର ପ୍ରଧାନୀ, ବିନାୟକ ଦାସମହାପାତ୍ର, ମାଧବ ମହାପାତ୍ର, ଶ୍ରୀକାନ୍ତ ପରିଜା, ରାଧାବଲ୍ଲଭ ମଠ ମହନ୍ତ, ଗୌରହରି ପ୍ରଧାନ, ନବକିଶୋର ସାହୁ, ଚିନ୍କୟ ଦାଶ, ରବି ଦାସମହାପାତ୍ର, ନାରାୟଣ ପାତ୍ର, ପୂର୍ଣ୍ଣବାସ ନାୟକ, କଟକୀ ମଠ ମହନ୍ତ ବିଜୟ ରାମାନୁଜ ଦାସଙ୍କୁ ନେଇ ୧୫ଜଣିଆ କମିଟି ଗଠନ କରାଯାଇଛି। ଆସନ୍ତାକାଲି ଏହି କମିଟି ଜିଲ୍ଲାପାଳଙ୍କୁ ଭେଟି ଉଚ୍ଛେଦ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର