କୋରାପୁଟ: କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଏବଂ ଗରିବ ଜିଲ୍ଲାରେ ସରକାରୀ ଭତ୍ତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି ହଜାର ହଜାର ହିତାଧିକାରୀ। ଭତ୍ତା ମିଳିଲେ ଘରେ ଚୁଲି ଜଳୁଛି। କିନ୍ତୁ ଦେଢ଼ ବର୍ଷ ହେଲା ଜିଲ୍ଲାରେ ଭତ୍ତା ବଣ୍ଟନ ନିମନ୍ତେ ନୂଆ ଟାର୍ଗେଟ୍‌ ମିଳିନି। ତେଣୁ ଭତ୍ତା ପାଇବା ଲାଗି ଯୋଗ୍ୟ ହୋଇଥିଲେ ବି ବାଦ୍‌ ପଡ଼ିଛନ୍ତି ହଜାର ହଜାର ଗରିବ ଓ ଅସହାୟ। ଆବେଦନ ସଂଖ୍ୟା ବୃଦ୍ଧି ପାଇ ୧୫ହଜାରରୁ ଅଧିକ ହିତାଧିକାରୀ ଭତ୍ତା ଅପେକ୍ଷାରେ ରହିଛନ୍ତି। ଯଦି ତାଲିକାରୁ କେହି ବାଦ୍‌ ପଡ଼ୁଛନ୍ତି କିମ୍ବା କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ଆବେଦନ ହୋଇଥିବା ତାଲିକାରୁ ଜଣେ ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି। ଏମିତିରେ ହାତ ଗଣତି ହିତାଧିକାରୀ ସରକାରୀ ଯୋଜନାରେ ସାମିଲ ହେଉଥିଲା ବେଳେ ପ୍ରତି ମାସରେ ଆବେଦନ ସଂଖ୍ୟା ବଢ଼ିବାରେ ଲାଗିଛି।

Advertisment

୬୦ ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧବୃଦ୍ଧା, ବିଧବା, ଅବିବାହିତ ମହିଳା ଓ ୪୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ଭତ୍ତା ଦେବା ବ୍ୟବସ୍ଥା କରିଛନ୍ତି ସରକାର। ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ଭତ୍ତା ୧ହଜାର ଟଙ୍କାରୁ ୩ ହଜାର ୫ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି। କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ୍‌ରେ ୩୮୨ଜଣ ହିତାଧିକାରୀ ଆବେଦନ କରି ଭତ୍ତା ଅପେକ୍ଷାରେ ରହିଛନ୍ତି। 

ସେହିପରି ବୈପାରିଗୁଡ଼ା ବ୍ଲକରେ ୨୩୨୪ ଜଣ, ବୋରିଗୁମ୍ମା ବ୍ଲକରେ ୩୨୧୦ଜଣ, ଦଶମନ୍ତପୁର ବ୍ଲକରେ ୮୨୫ଜଣ, ଜୟପୁର ବ୍ଲକରେ ୧୩୭୯ ଜଣ, ଜୟପୁର ପୌରପାଳିକାରେ ୧୦୩୨ଜଣ, କୋରାପୁଟ ବ୍ଲକରେ ୩୩୧ଜଣ, କୋରାପୁଟ ସହରରେ ୩୬୨ଜଣ, କୋଟପାଡ଼ ବ୍ଲକରେ ୩୯୫ଜଣ, କୋଟପାଡ଼ ଏନ୍‌ଏସିରେ ୨୦୦ଜଣ, କୁନ୍ଦୁରା ବ୍ଲକରେ ୯୦୦ଜଣ, ଲମତାପୁଟ ବ୍ଲକରେ ୪୦୯ଜଣ, ଲକ୍ଷ୍ମୀପୁର ବ୍ଲକରେ ୮୬୨ଜଣ, ନନ୍ଦପୁର ବ୍ଲକରେ ୭୫୩ଜଣ, ନାରାୟଣପଟଣା ବ୍ଲକରେ ୭୪ଜଣ, ପଟାଙ୍ଗି ବ୍ଲକରେ ୪୨୭ଜଣ, ସେମିଳିଗୁଡା ବ୍ଲକରେ ୮୨୦ଜଣ, ସୁନାବେଡ଼ା ସହରରେ ୫୪୬ଜଣ ଭତ୍ତା ପାଇଁ ଆବେଦନ କରିଛନ୍ତି। 

ଏମାନଙ୍କ ସହ ମଧୁବାବୁ ‌ପେନ୍‌ସନ୍‌ ଯୋଜନାରେ ୧୪,୯୦୦ଜଣ ଏବଂ ଏନ୍‌ଏସ୍‌ଏପିରେ ୩୨୭ଜଣ ଆବେଦନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏମିତି କିଛି ବୟସ୍କ ହିତାଧିକାରୀ ଅଛନ୍ତି ସେମାନଙ୍କ ଚକ୍ଷୁ ଓ ଟିପଚିହ୍ନ ସ୍କାନ୍‌ ହୋଇପାରୁ ନଥିବାରୁ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଏବେ ଖାଲି ଥିବା ତାଲିକା ଅନୁସାରେ ହିତାଧିକାରୀଙ୍କ ସଂଖ୍ୟା ପୂରଣ କରାଯାଉଛି। ନୂଆ ଟାର୍ଗେଟ ଆସିଲେ ଅନ୍ୟ ଆବେଦନକାରୀଙ୍କୁ ସାମିଲ କରାଯିବ ବୋଲି ସେ କହିଛନ୍ତି।