ଛୁଟିରେ ଗଲେ ୧୫ହଜାର ଶିକ୍ଷା ସହାୟକ

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରେ ଆନ୍ଦୋଳନ

ଭୁବନେଶ୍ୱର : ଶିକ୍ଷା ସହାୟକମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେଉନଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲରେ କାର୍ଯ୍ୟରତ ଶିକ୍ଷା ସହାୟକମାନେ ଛୁଟିରେ ଯାଇଛନ୍ତି। ଶିକ୍ଷା ସହାୟକମାନଙ୍କ ୭ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରେ ଧାରଣା ଦିଆଯିବ ବୋଲି ଓଡ଼ିଶା ଶିକ୍ଷା ସହାୟକ ସଂଘର ସଭାପତି ମଳୟ କୁମାର ଜେନା କହିଛନ୍ତି।

ରାଜ୍ୟର ଅଧିକାଂଶ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ କେବଳ ଶିକ୍ଷା ସହାୟକଙ୍କ ଦ୍ୱାରା ଚାଲୁଥିବାରୁ ଏହି ସ୍କୁଲଗୁଡ଼ିକରେ ଆସନ୍ତା ସୋମବାର ଠାରୁ ପାଠପଢ଼ା ବନ୍ଦ ରହିବ। ଶିକ୍ଷା ସହାୟକମାନେ ଦୀର୍ଘ ଦିନ ହେଲା ତାଙ୍କର ଦାବି ଜଣାଉଥିଲେ ହେଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନନେବାରୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ବନ୍ଦା ହେବା ଆଶଙ୍କା ସୃଷ୍ଟି ହୋଇଛି।
ଆଜି ସଂଘର ସଭାପତି ମଳୟ କୁମାର ଜେନାଙ୍କ ସଭାପତିତ୍ୱରେ ଇନ୍ଦିରା ଗାନ୍ଧୀ ପାର୍କ ଠାରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଆସନ୍ତା ସୋମବାର ଠାରୁ ଶିକ୍ଷାସହାୟକମାନେ ସେମାନଙ୍କ ଦାବି ପୂରଣ ପାଇଁ ଲୋୟର ପିଏମ୍‌ଜିରେ ଧାରଣାରେ ବସିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କୁ ଶିକ୍ଷା ସହାୟକଙ୍କ ୭ଦଫା ଦାବି ନେଇ ବାରମ୍ବାର ଅବଗତ କରାଯାଇଥିଲେ ହେଁ ଏହାକୁ ପୂରଣ କରିବାକୁ ପଦକ୍ଷେପ ନିଆଯାଇନି। ତେଣୁ ଆମେ ଆମରଣ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛୁ।

ସଂଘ ପକ୍ଷରୁ କୁହାଯାଇଛି ଯେ, ଶିକ୍ଷା ସହାୟକ/କନିଷ୍ଠ ଶିକ୍ଷକଙ୍କ ଦରମା ୨୫ପ୍ରତିଶତ ବୃଦ୍ଧି କରିବା, ୨୦୧୧ରେ ନିଯୁକ୍ତ ସମସ୍ତ ଶିକ୍ଷା ସହାୟକମାନଙ୍କୁ ଅବିଳମ୍ବେ ନିୟମିତ କରିବା, ନିୟମିତ ଶିକ୍ଷକମାନଙ୍କର ଗ୍ରେଡ୍‌ ପେ ୨୨୦୦ରୁ ୨୮୦୦ଟଙ୍କାକୁ ବୃଦ୍ଧି, ମୃତ୍ୟୁକାଳୀନ ସହାୟତା ଘୋଷଣା, ୨୦୧୨ ବ୍ୟାଚ୍‌ର ନିଯୁକ୍ତ ଶିକ୍ଷା ସହାୟକମାନଙ୍କ ପାଇଁ ଓଟିଇଟିରେ କୋହଳ, ବଦଳି ନୀତିରେ କୋହଳ, ଶିକ୍ଷା ସହାୟକ ନାମ ପରିବର୍ତ୍ତନ କରିବା ଦାବିରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି।

ଆଜିର ବୈଠକରେ ସଂଘର ଉପଦେଷ୍ଟା ଭାଗିରଥୀ ପ୍ରଧାନ, ଜ୍ୟୋତିରଂଜନ ଦାସ, ସୁନିଲ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ସୁମନ୍ତ କୁମାର ପାଲ୍‌, ଜ୍ୟୋତିରଂଜନ ସାହୁ, ମହାସଚିବ ବିବେକାନନ୍ଦ ବେହେରା, ସମ୍ପାଦକ ଶ୍ରୀକାନ୍ତ କୁମାର ନାୟକ, କାର୍ଯ୍ୟକାରୀ ସଭାନେତ୍ରୀ ରଶ୍ମିତା ମହାପାତ୍ର, ଉପସଭାପତି ପ୍ରଶାନ୍ତ ଦାଶ, ପ୍ରଦୀପ କୁମାର ମହାରଣା, ସୌଭାଗ୍ୟ ମିଶ୍ର, ସୋସିଆଲ ମିଡିଆ କୋର୍ଡିନେଟର ରଶ୍ମିରଂଜନ ସେଠୀ, ୩୧୪ ବ୍ଲକ କୋର୍ଡିନେଟର ଜ୍ୟୋତି ପ୍ରକାଶ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର