୧୫ ଟ୍ରକ୍‌ ମାଲିକ ସଂଘର ଆନ୍ଦୋଳନ ଡାକରା : ୨୭ରୁ ୮ ଜିଲ୍ଲାରେ ପରିବହନ ଠପ୍

ଲଘୁ ଖଣିଜ ପରିବହନ ନୀତି ବି‌ରୋଧରେ ପ୍ରତିବାଦ

ଯାଜପୁର/ଚଣ୍ଡିଖୋଲ : ଲଘୁ ଖଣିଜ ସମ୍ପଦର ସଦବିନ‌ିଯୋଗ ଓ ପରିବହନ ପାଇଁ ସରକାର ଅନେକ ନୀତିନିୟମ ଓ ‌ଆଇନ୍ ପ୍ରଣୟନ କରିଛନ୍ତି। ମାତ୍ର ସେଥିରେ ଥିବା ବ୍ୟାପକ ତ୍ରୁଟି ପାଇଁ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଲଘୁ ଖଣିଜ ସମ୍ପଦର ଚୋରା କାରବାର ରୋକିବା ପାଇଁ ରାସ୍ତାଘାଟରେ ଗାଡ଼ି ଅଟକାଇ ପ୍ରଶାସନ ପକ୍ଷରୁ ଜରିମାନା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହାର ପ୍ରତିବାଦରେ ଆଜି ପୂର୍ବ ଉପକୂଳ ୮ଟି ଜିଲ୍ଲାର ଲଘୁ ଖଣିଜ ସମ୍ପଦ ପରିବହନ କରୁଥିବା ୧୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଓ ରାଜ୍ୟ ସଂଘର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆସନ୍ତା ୨୭ତାରିଖ ଠାରୁ ପୁରୀରୁ ଆରମ୍ଭ କରି ବାଲେଶ୍ବର ପର୍ଯ୍ୟନ୍ତ ସମସ୍ତ ପୂର୍ବ ଉପକୂଳ ଜିଲ୍ଲାଗୁଡ଼ିକରେ ଲଘୁ ଖଣିଜ ସମ୍ପଦ ପରିବହନ ବନ୍ଦ କରାଯିବ ବୋଲି ସ୍ଥିର ହୋଇଛି। ଆଜି ଚଣ୍ଡିଖୋଲ ଠାରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ମୋଟ ୧୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଯୋଗ ଦେଇ ଏହି ଚରମ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ୮ଜିଲ୍ଲାର ଟ୍ରକ୍‌ ମାଲିକ ସଂଘକୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି।

ପୂର୍ବ ଉପକୂଳବର୍ତ୍ତୀ ୮ଟି ଜିଲ୍ଲାର ପ୍ରାୟ ୨୦ ହଜାର ଗାଡ଼ି ଲଘୁ ଖଣିଜ କାରବାରରେ ନିୟୋଜିତ ଅଛନ୍ତି। ଏହି କାରବାର ପାଇଁ କ୍ରସର ଠାରୁ ଆରମ୍ଭ କରି ବିଭିନ୍ନ ନିର୍ମାଣ କାମ ମଧ୍ୟ ନିୟନ୍ତ୍ରିତ ହେଉଛି। ଲଘୁ ଖଣିଜ ସମ୍ପଦ ପରିବହନ ବନ୍ଦ ହୋଇଗଲେ ପ୍ରାୟ ୩୦ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ସଂଘ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଆଜିର ବୈଠକରେ ମହାବିନାୟକ ଲଘୁ ଖଣିଜ ପରିବହନ ମଲିକ ସଂଘର ସଭାପତି ଅଜାମ୍ବର ସାହୁ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ରାଜ୍ୟ ଟ୍ରକ ମାଲିକ ଫେଡେରେସନର ସମ୍ପାଦକ ରବିନାରାୟଣ ଶତପଥୀ ଓ ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିନାୟକ ଲଘୁ ଖଣିଜ ପରିବହନ ସଂଘର ମୁଖ୍ୟ ଉପଦେଷ୍ଟା ଚନ୍ଦନ କୁମାର ନାୟକ ଓ ସମ୍ପାଦକ ଅମିତ କୁମାର ସାହୁ ପ୍ରମୁଖ ଏହି ବୈଠକ ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର