ଭୁବନେଶ୍ବର: ଓଡ଼ିଶା ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତିକୁ ନେଇ ଲାଗିଥିବା କଟକଣା ହଟିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୪ ଅନୁସାରେ କୁଳପତି ନିଯୁକ୍ତି ପ୍ରକ୍ରିୟା କରିବାକୁ ପଦକ୍ଷେପ ନିଆଯାଇଛି। ଏକାଥରେ ରାଜ୍ୟର ୧୫ଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ନେଇ ରୂପରେଖ ପ୍ରସ୍ତୁତ ହୋଇଛି। ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପାଇଁ ଇତିମଧ୍ୟରେ ବିଜ୍ଞପ୍ତି ପ୍ରକାଶ ସହ ଆବେଦନ ଆରମ୍ଭ ହୋଇଥିବା ବେଳେ ଆଉ ୧୪ଟି ବିଶ୍ବବିଦ୍ୟାଳୟ ପାଇଁ ଖୁବ୍ଶୀଘ୍ର ବିଜ୍ଞପ୍ତି ଜାରି ହେବାକୁ ଯାଉଛି। ନୂତନ ଅଧିନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟର କୁଳପତି ଚୟନ ନିମନ୍ତେ ତିନିଜଣ ସଦସ୍ୟଙ୍କୁ ନେଇ ଏକ ଚୟନ କମିଟି ଗଠନ ହେବ। ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବା ଶିକ୍ଷାବିତ୍ କମିଟିରେ ସଦସ୍ୟ ରହିବେ। ୨୦୨୦ ଅଧିନିୟମରେ କୁଳପତି ଚୟନ କମିଟିରେ ଦୁଇଜଣ ବରିଷ୍ଠ ସରକାରୀ ଅଧିକାରୀ ରହୁଥିବା ବେଳେ କେବଳ ଜଣେ ମାତ୍ର ଶିକ୍ଷାବିତ୍ ହିଁ ସ୍ଥାନ ପାଉଥିଲେ। ବର୍ତ୍ତମାନ ଏହାକୁ ବଦଳାଯାଇ ଚୟନ କମିଟିରେ ୩ ଜଣ ଶିକ୍ଷାବିତ୍ ରହିବାର ବ୍ୟବସ୍ଥା ହୋଇଛି।
ଅଧିନିୟମ ଅନୁଯାୟୀ କୁଳପତି ଚୟନ ପାଇଁ ଗଠିତ ହେବାକୁ ଥିବା କମିଟିରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ ପ୍ରତିନିଧି, ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପ୍ରତିନିଧି ଓ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ ଦ୍ବାରା ମନୋନୀତ ଜଣେ ପ୍ରତିନିଧି କମିଟିରେ ସ୍ଥାନ ପାଇବେ। ତେଣୁ ୨୦୨୦ ଅଧିନିୟମ ଅନୁଯାୟୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ହୋଇଥିବା ସିଣ୍ଡିକେଟ୍ ଆଇନ ଅନୁଯାୟୀ ଅକାମି ହୋଇଥିବା ବେଳେ ନୂତନ ସିଣ୍ଡିକେଟ୍ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସିଣ୍ଡିକେଟ୍ରେ ସାମିଲ ହେବାକୁ ଥିବା ୧୮ଜଣିଆ କମିଟି ଗଠନ କରିବାକୁ ସମସ୍ତ କୁଳପତିଙ୍କଠାରୁ ତିନି ଦିନ ତଳେ ତଥ୍ୟ ସଂଗ୍ରହ କରାଯାଇଛି। ଚିଠି ପାଇବାର ୭ଦିନ ମଧ୍ୟରେ ତଥ୍ୟ ଦେବାକୁ କୁହାଯାଇଥିବା ବେଳେ ଅଧିକାଂଶ କୁଳପତି ଇତିମଧ୍ୟରେ ତଥ୍ୟ ଦାଖଲ କରିସାରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
ସେପଟେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିଲେ ମଧ୍ୟ କୁଳପତି ଚୟନ କମିଟି ଗଠନ ଦିଗରେ ରାଜଭବନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏକାଥରେ ୧୫ ଜଣିଆ ପ୍ରତିନିଧି ତାଲିକା ପ୍ରଦାନ କରିବାକୁ ୟୁଜିସିକୁ ପତ୍ର ଲେଖାଯାଇଛି। ୧୦ଟି ବିଶ୍ବବିଦ୍ୟାଳୟରେ କୁଳପତି ନ ଥିବାରୁ ଭାରପ୍ରାପ୍ତରେ ଚାଲିଛି। କେଉଁଠି କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି ତ ଆଉ କେଉଁଠି ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର କୁଳପତି ପଦବିରେ ଅଧିଷ୍ଠିତ ଅଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ୬ ମାସିଆ ବର୍ଦ୍ଧିତ କାର୍ଯ୍ୟକାଳ ଆଉ ମାତ୍ର ୭ ଦିନ ରହିଛି। ଏହାପରେ ଏଠାରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଭଳି ବରିଷ୍ଠ ପ୍ରଫେସରଙ୍କୁ ଦାୟିତ୍ବ ଦେବେ ନା ପ୍ରଫେସର ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ପୁଣି ବଢ଼ାଇବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ବରିଷ୍ଠତମ ହୋଇଥିବାରୁ ଜଣେ ଆସୋସିଏଟ୍ ପ୍ରଫେସର କୁଳପତି ଦାୟିତ୍ବରେ ରହିଛନ୍ତି। ଖଲ୍ଲିକୋଟ ଓ ଏମ୍ଏସ୍ସିବିରେ ନିକଟସ୍ଥ ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବରେ ଅଛନ୍ତି।
କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ବବିଦ୍ୟାଳୟ ଓ କୋରାପୁଟର ବିକ୍ରମଦେବ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନରୁ ଓଏସ୍ଡିରେ ଚାଲିଛି। ଏହାଦ୍ବାରା କେଉଁଠି ଓଏସ୍ଡି ତ ଆଉ କେଉଁଠି ଭାରପ୍ରାପ୍ତ, କେଉଁଠି ପାଖ ବିଶ୍ବବିଦ୍ୟାଳୟ କୁଳପତି ତ ଆଉ କେଉଁଠି ବର୍ଦ୍ଧିତ କାର୍ଯ୍ୟକାଳରେ ଚାଲିଛି। କିଏ କେଉଁଠି ଦାୟିତ୍ବରେ ରହିବ, ସେ ନେଇ ମଧ୍ୟ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୩ ମାସ ମଧ୍ୟରେ ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେଣୁ ଏକାଥରେ ୧୫ଟି ବିଶ୍ବବିଦ୍ୟାଳୟର ଚୟନ କମିଟି ଗଠନ ଦିଗରେ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ନୂତନ ଅଧିନିୟମ ଅନୁଯାୟୀ କୁଳପତିଙ୍କ ବୟସ ସୀମା ୬୭ରୁ ୭୦ ବର୍ଷକୁ ବୃଦ୍ଧି ହୋଇଥିବାରୁ ମନୋନୟନ ପ୍ରକ୍ରିୟା ଅଧିକ ପାରଦର୍ଶୀ, ସ୍ୱଚ୍ଛ ଓ ଦକ୍ଷତା ଆଧାରିତ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି।