ଭିତରକନିକାରେ ୧୫ ଧଳା କୁମ୍ଭୀର

୧୯ରୁ ଡଲଫିନ୍‌ ଗଣନା

ରାଜନଗର : ଭିତରକନିକାରେ ‘ଗୋରୀ’ ଭଳି ଶଙ୍ଖ ମଲମଲ ଧଳା ରଙ୍ଗର ୧୫ଟି କୁମ୍ଭୀର ଅଛନ୍ତି। ଏହି ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳରେ କୁମ୍ଭୀର ଗଣନା ସମୟରେ ଧଳା ରଙ୍ଗର ଶଙ୍ଖୁଆ କୁମ୍ଭୀରକୁ ଦେଖିବାକୁ ମିଳିଛି। ସେହିପରି ଆସନ୍ତା ୧୯ ତାରିଖରୁ ଭିତରକନିକା ଅଞ୍ଚଳରେ ଡଲଫିନ୍‌ ଗଣନା କରାଯିବ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଗତ ୬ତାରିଖରୁ ୧୪ତାରିଖ ଯାଏଁ ଭିତରକନିକାରେ କୁମ୍ଭୀର ଗଣନା କରାଯାଇଥିଲା। ଏହି ଗଣନାରେ ଏଠାରେ ୧୭୪୨ଟି କୁମ୍ଭୀର ଠାବ କରାଯାଇଥିଲା। ଭିତରକନିକା ନଦୀର ପାଟ୍ଟଶାଳା, ଧାମରା ଓ ଭିତରକନିକାରେ ୧୫ଟି ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା। ସେଥିମଧୢରୁ ୩ଟି ଧଳା କୁମ୍ଭୀର ଛୁଆଙ୍କୁ ଦେଖିବାକୁ ମିଳିଥିବା ବେଳେ ଗୁପ୍ତି ନିକଟରେ ୧୪ରୁ ୧୬ ଫୁଟ ଲମ୍ବର ଅଣ୍ତିରା ଧଳା କୁମ୍ଭୀର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। କୁମ୍ଭୀର ବିଷାରଦ ଡ. ସୁଧାକର କର ଗତବର୍ଷଠାରୁ ଚଳିତବର୍ଷ ଅଧିକ ଧଳାକୁମ୍ଭୀର ଦେଖିବାକୁ ମିଳଛି ବୋଲି ସୂଚନା ଦେଇଥିବା ବେଳେ ବନବିଭାଗ କର୍ମଚାରୀଙ୍କ ସୂତ୍ରରୁ ଏହି ସ˚ଖ୍ୟା ୧୫ ବୋଲି ଜଣାପଡିଛି। ଅଷ୍ଟ୍ରେଲିଆ ଓ ଥାଇଲାଣ୍ତରେ ଧଳା କୁୁମ୍ଭୀରଙ୍କୁ ଦେଖିବାକୁ ମିଳିଥାଏ।

ସେହିପରି ଭିତରକନିକା ଅଞ୍ଚଳରେ ଡଲଫିନ୍‌ ଗଣନା କରାଯିବ। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧୢରେ ଓ ଭିତରକନିକା ମଧୢରେ ଥିବା କ୍ରିକ୍‌ ଓ ନଦୀରେ ଆସନ୍ତା ୧୯ତାରିଖ ଦିନ ଗଣନା କରାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ପୂର୍ବରୁ କେବଳ ଚିଲିକାରେ ଡଲଫିନ୍‌ ଗଣନା କରାଯାଉଥିବା ବେଳେ ୨୦୧୫ରୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତି କ୍ରମେ ଭିତରକନିକା, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ବର ଓ ବାରିପଦାରେ ଡଲଫିନ୍‌ ଗଣନା କରାଯାଉଛି।

ଚିଲିକାରେ କେବଳ ଇରାୱାର୍ଡ ଜାତୀୟ ଡଲଫିନ୍‌ ଦେଖିବାକୁ ମିଳିଥିବା ବେଳେ ଭିତରକନିକାରେ ୬ ପ୍ରକାର ଡଲଫିନ୍‌ ଦେଖିବାକୁ ମିଳିଥିଲା। ଓଡିଶାର ଗଣନା କରାଯାଇଥିବା ୭ଟି ସ୍ଥାନରେ ସମୁଦାୟ ୪୫୦ଟି ୭ ପ୍ରକାରର ଡଲଫିନ୍‌ ଚିହ୍ନଟ ହୋଇଥିବା ବେଳେ ଭିତରକନିକାରେ ୬ ପ୍ରକାରର ୨୭୦ଟି ଡଲଫିନ୍‌ ଦେଖିବାକୁ ମିଳିଥିଲା। ଦୁଇ ପ୍ରକାରର ହମ୍ପବ୍ୟାକ୍‌ ଡଲଫିନ୍‌, ପାନ୍‌ଟ୍ରୋପିସିଆଲ୍‌ ଡଲଫିନ୍‌ ଓ ଫିନ୍‌ଲେସ ପରିପଏସ୍‌ ଡଲଫିନ୍‌ କେବଳ ଭିତରକନିକାରେ ହିଁ ଚିହ୍ନଟ ହୋଇଥିଲା। ୩ବର୍ଷ ହେଲା ଭିତରକନିକାରେ ଡଲଫିନ୍‌ ଗଣନା ପାଇଁ ଦିନ ସ୍ଥିର କରାଯାଉଛି। ମାତ୍ର ପାଗ ଖରାପ ହେତୁ ୩ବର୍ଷ ହେଲା ଡଲଫିନ୍‌ ଗଣନା କରାଯାଇପାରୁନାହିଁ।

ସମ୍ବନ୍ଧିତ ଖବର