ସୀମାରେ ଆନ୍ଧ୍ରର ଦାଦାଗିରି : ଆକ୍ରମଣରେ ମହିଳାଙ୍କ ସମେତ ୧୫ରୁ ଅଧିକ ଆଦିବାସୀ ଆହତ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅଧୀନ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଗୁଡ଼ିପଦର ଗ୍ରାମରେ ଆନ୍ଧ୍ର ଅବକାରୀ ବିଭାଗ କର୍ମଚାରୀ ରକ୍ତମୁଖା ପାଲଟିଛନ୍ତି। ଆଦିବାସୀ ଗାଁରେ ପଶି ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସେମାନଙ୍କ ଅତର୍କିତ ଆକ୍ରମଣରେ ମହିଳାଙ୍କ ସମେତ ୧୫ରୁ ଅଧିକ ଆଦିବାସୀ ଲୋକ ଆହତ ହୋଇଛନ୍ତି। ଏଭଳିକି ଜ୍ବରରେ ସଢ଼ୁଥିବା ଦୁଇ ଜଣ ମହିଳା ମଧ୍ୟ ଆକ୍ରମଣରୁ ବର୍ତ୍ତି ନାହାନ୍ତି।

ଆଜି ଭୋର୍‌ ଭୋର୍‌ରୁ ଏ ଘଟଣା ଘଟିଛି। ସକାଳ ପ୍ରାୟ ୬ଟାରେ ୧୫ରୁ ଅଧିକ ଖାକି ପିନ୍ଧା ଆନ୍ଧ୍ର କର୍ମଚାରୀ ଦୁଇଟି ଗାଡ଼ିରେ ଆସି ପାତ୍ରପୁର ବ୍ଲକ୍ ବୁରାତାଲ ପଞ୍ଚାୟତ ଅଧୀନ ଗୁଡ଼ିପଦର ଗ୍ରାମରେ ପହଞ୍ଚିଥିଲେ। ସ୍ଥାନୀୟ ଅବକାରୀ ବିଭାଗ ଓ ପୁଲିସକୁ ନ ଜଣାଇ ସେମାନେ ଏକ ବେଆଇନ ମଦ ଭାଟିକୁ ଭଙ୍ଗାରୁଜା କରିଥିଲେ। କିନ୍ତୁ କାହାକୁ ଗିରଫ କରାଯାଇ ନଥିଲା। ସେଠାରୁ ମହେନ୍ଦ୍ରତନୟା ନଦୀକୁ ଯାଇ ସେଠାରେ ଗାଧୋଉଥିବା ଦୁଇଜଣ ଆଦିବାସୀଙ୍କୁ ଗାଳିଗୁଲଜ କରିବା ସହ ତାଗିଦ୍ କରିଥିଲେ। ଏହି ସମୟରେ ନଦୀ ତୁଠରେ ଆଦିବାସୀମାନେ କିଛି କଂସା ବାସନ ମଧ୍ୟ ମାଜୁଥିଲେ। ‘ତୁମେମାନେ ମଦ ରାନ୍ଧୁଛ’ ବୋଲି କହି କିଏ କିଛି ବୁଝିବା ପୂର୍ବରୁ ଅବକାରୀ କର୍ମଚାରୀମାନେ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସେମାନେ ଭୟରେ ଗାଁକୁ ଦୌଡ଼ି ପଳାଇ ଆସିଥିଲେ। ସେମାନଙ୍କ ପିଛା କରି ପୁଣି ଆନ୍ଧ୍ର ଅବକାରୀ କର୍ମଚାରୀମାନେ ଗ୍ରାମରେ ପହଞ୍ଚିଥିଲେ। ଅନ୍ୟ ଆଦିବାସୀ ଲୋକେ ନିରୀହଙ୍କୁ ମାଡ଼ର ପ୍ରତିବାଦ କରିଥିଲେ। ଅବକାରୀ କର୍ମଚାରୀ ହଠାତ୍‌ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ସେମାନେ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ଗ୍ରାମବାସୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ମହିଳାମାନେ ମଧ୍ୟ ସେମାନଙ୍କ ଆକ୍ରୋଶରୁ ବର୍ତ୍ତି ନଥିଲେ। ପ୍ରାୟ ଘଣ୍ଟାଏ କାଳ ଆନ୍ଧ୍ର ଅବକାରୀ କର୍ମଚାରୀମାନେ ଗାଁରେ ଦମନଲୀଳା ଚଳାଇ ଫେରି ଯାଇଥିଲେ। ଠେଙ୍ଗା ମାଡ଼ରେ ସୁମିତ୍ରାଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ସିନାମିଙ୍କ ଗୋଡ଼ ଫୁଲିଯିବା କାରଣରୁ ସେ ଉଠିପାରୁ ନାହାନ୍ତି।

ଆନ୍ଧ୍ର ଅବକାରୀ ବିଭାଗର ଏଭଳି ଦାଦାଗିରିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏ ଘଟଣା ପରେ ଆଦିବାସୀମାନେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର