ଯାଜପୁରସଦର: ପାଠପଢ଼ି ଭବିଷ୍ୟତ ଗଢ଼ିବା ସମୟରେ ହାତଗୋଡ଼ ବନ୍ଧାହୋଇଛି। ଜୀବନ ଯନ୍ତ୍ରଣାରେ ଛଟପଟ ୧୫ ବର୍ଷୀୟା ନାବାଳିକା। ହାତଗୋଡ଼ ବନ୍ଧା ହୋଇଥିବାବେଳେ ସେଥିରୁ ମୁକୁଳିବା ପାଇଁ ଝିଅଟି କେତେ ଯେ ଉଦ୍ୟମ କରୁଛି, ତାହା ନ ଦେଖିଲେ କେହି ବିଶ୍ବାସ କରିବନି। ଝିଅଟିର ମାନସିକ ସ୍ଥିତି ଠିକ୍ ଥିବାବେଳେ କେବଳ ଇନ୍ଦ୍ରିୟ ଉପରେ ଆୟତ୍ତ ନଥିବାରୁ ସେ ଆଜି ଅନ୍ୟମାନଙ୍କ ପାଇଁ ବୋଝ ହୋଇଯାଇଛି। ଏଥିପାଇଁ ସରକାରୀ ସହାୟତା ମଧ୍ୟ ସାତସପନ ପାଲଟିଛି।
ଯାଜପୁର ବ୍ଲକ୍ ଉପରବରୁହାଁ ପଞ୍ଚାୟତ କଚେରିଗାଁର ବଳରାମ ମଳିକଙ୍କ ଝିଅ ଋତୁ (୧୫)। ୫ ବର୍ଷ ପର୍ଯ୍ୟନ୍ତ ସେ ଅଙ୍ଗନବାଡ଼ିକୁ ଯାଉଥିଲେ। ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ ଖେଳାବୁଲା କରୁଥିଲେ। ହଠାତ୍ ତାଙ୍କ ଶରୀରରେ ଅଜବ ଲକ୍ଷଣମାନ ଦେଖିବାକୁ ମିଳିଲା। ହାତଗୋଡ଼ ବିନ୍ଧିବା ସହ ଧୀରେଧୀରେ ଦୁଇଗୋଡ଼ ଓ ହାତ ତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ହାତଗୋଡ଼ରେ ସେ କ’ଣ କରୁଛନ୍ତି, ନିଜେ ଜାଣି ପାରିଲେ ନାହିଁ। କେତେବେଳେ ନିଜ ଶରୀରକୁ କ୍ଷତାକ୍ତ କରିବା ସହ ଅନ୍ୟମାନଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଲେ।
ଦୈନିକ ଏମିତି ହେବା ଦ୍ବାରା ଉପାୟଶୂନ୍ୟ ପରିବାର ଲୋକ ତାଙ୍କ ହାତଗୋଡ଼ରେ ବେଡ଼ି ପକାଇଦେଲେ। ଆଜିକୁ ୧୦ ବର୍ଷ ହେବ ସେ ଏମିତି ଅବସ୍ଥାରେ ଘରେ ପଡ଼ିଛନ୍ତି। ସେପଟେ ଅଭାବୀ ପରିବାର ଉତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଅସମର୍ଥ ଥିବାବେଳେ ଧାରକରଜ କରି ଦୁଇଥର କଟକ ବଡ଼ଡାକ୍ତରଖାନା ଯାଇ ଫେରିଛନ୍ତି। ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିବା ଜାଣି ସେମାନେ ଆଉ ଡାକ୍ତରଖାନା ଯାଇପାରୁନାହାନ୍ତି। ରାସନକାର୍ଡରେ ଋତୁଙ୍କ ନାଁ ଥିବା ସତ୍ତ୍ବେ ତାଙ୍କୁ କିଛି ମିଳୁନାହିଁ। ୯୦ ପ୍ରତିଶତ ଦିବ୍ୟାଙ୍ଗ ଥାଇ ମଧ୍ୟ ୩୫୦୦ ବଦଳରେ ତାଙ୍କୁ ୧୦୦୦ ଟଙ୍କା ଭତ୍ତା ମିଳୁଛି। ଝିଅର ଏପରି ଅବସ୍ଥା ଦେଖି ପୂରା ପରିବାର ଚିନ୍ତାରେ। ଜିଲ୍ଲା ପ୍ରଶାସନ, ନିର୍ବାଚିତ ପ୍ରତିନିଧି, ବଦାନ୍ୟ ବ୍ୟକ୍ତି କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତାର ହାତ ବଢ଼ାଇବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି।