ପୁଣି ଟିକ୍‌ଟକ୍‌ ନେଲା ଜୀବନ: ଭିଡିଓ ପ୍ରସ୍ତୁତି ବେଳେ ଦେବୀ ନଦୀରେ ଭାସିଗଲେ ୪ ଜଣ, ୧୫ ବର୍ଷୀୟ ଝିଅ ମୃତ

ବାଲିକୁଦା/ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମ ‘ଟିକ୍‌ଟକ୍’ ଅନେକ ସମୟରେ ଯୁବପିଢ଼ିଙ୍କ ଜୀବନକୁ ବିପଦ ପହଞ୍ଚାଉଛି। ଟିକ୍‌ଟିକ୍‌ ପ୍ରସ୍ତୁତି ସମୟରେ ଯୁବପିଢ଼ି ଏମିତି ହଜିଯାଉଛନ୍ତି, ଜୀବନର ଯତ୍ନ ମଧ୍ୟ ନେଇପାରୁ ନାହାନ୍ତି। ଆଜି ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ବାଲିକୁଦା ବ୍ଲକ ଦେବୀ ନଦୀ ନିକଟରେ ଟିକଟକ କରୁଥିବା ବେଳେ ଆଜି ୪ ଜଣ ପୁଅ-ଝିଅ ଭାସିଯାଇଥିଲେ। ଏଥିରେ ପୂଜାରାଣୀ ନାୟକ (୧୫)ଙ୍କର ମୃତ୍ୟୁ ଘଟିଥିବା ବେଳେ ନୀଲମ ସ୍ୱାଇଁ (୧୫), ଅନୁରାଧା ପରିଡ଼ା (୧୫) ଓ ଅମରେଶ ପରିଡ଼ା (୧୩)ଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ରାଇବରେଇ ଗାଁର ନିତ୍ୟାନନ୍ଦ ନାୟକଙ୍କ ଝିଅ ପୂଜାରାଣୀ ନାୟକ, ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ପଂଚାୟତ ମଙ୍ଗପୁର ନିକଟ ଦେବୀ ନଦୀ ଘାଟକୁ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲ। ସାଥୀରେ ଓଷକଣା ଗାଁର ଅବିନାଶ ସ୍ୱାଇଁଙ୍କ ଝିଅ ନୀଲମ ସ୍ୱାଇଁ, କାଳିଓ ପଂଚାୟତ ଅନ୍ତର୍ଗତ ଦେପଡ଼ା ଗାଁର ଅମରେଶ ପରିଡ଼ା ଏବଂ ତାର ଭଉଣୀ ଅନୁରାଧା ପରିଡ଼ା ଥିଲେ। ଏମାନେ ସମସ୍ତେ ମାମୁ ଘରକୁ ଆସିଥିଲେ।

୪ ଜଣ ସାଙ୍ଗ ହୋଇ ଆଜି ଅପରାହ୍ନରେ ନଦୀ କୂଳକୁ ଯାଇଥିଲେ। ସେଠାରେ ସେମାନେ ଟିକ୍‌ଟକ୍‌ ପ୍ରସ୍ତୁତ କରୁଥିଲେ। କିନ୍ତୁ ଦେବୀ ନଦୀର ପାଣି ଫୁଲି ଥିବାରୁ ପୂଜାରାଣୀ ଅସାବଧାନବଶତଃ ଖସି ପଡ଼ିଥଲା। ନଦୀରେ ଭାସିଯାଉଥିବା ସମୟରେ ଗାଁର ପହଲି ସ୍ୱାଇଁ ନାମକ ଜଣେ ଚାଷୀ ପ୍ରଥମେ ଘଟଣା ଦେଖିବା ପରେ ସେ ହଠାତ୍‌ ଦୌଡ଼ିଯାଇଥିଲେ। ଅଳ୍ପ ସମୟ ମଧ୍ୟରେ ସେ ଗାଁର ଅନ୍ୟମାନଙ୍କର ସହାୟତାରେ ୪ ଜଣଙ୍କୁ ଉଦ୍ଧାର କରି ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ପୂଜାରାଣୀ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ନୀଲମ ସ୍ୱାଇଁକୁ ସେଠାରେ ଡାକ୍ତର ଚିକିତ୍ସା କରୁଥିବା ବେଳେ ଦୁଇ ଭାଇଭଉଣୀ ଅମରେଶ ଓ ଅନୁରାଧାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରଛି।

ସୂଚନାଯୋଗ୍ୟ, ଗତ ୧୬ ତାରିଖ ଅପରାହ୍ନରେ କେନ୍ଦ୍ରାପଡ଼ାର ୫ରୁ ଅଧିକ ଯୁବକ ମୋଟର ସାଇକେଲରେ ଆସି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନାହିଆଡିଆ ବ୍ରାହ୍ମଣୀ ପୋଲକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଏହି ଯୁବକମାନେ ପୋଲ ତଳେ ନଈରେ ପଶି ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରୁଥିଲେ। କିନ୍ତୁ ନଦୀରୁ ଜେସିବି ମେସିନରେ ବାଲି ଉଠାଯାଇଥିବାରୁ ସେଠାରେ ଗଭୀର ଥିଲା। ଯୁବକମାନଙ୍କ ମଧ୍ୟରୁ ଜଣେ ଖାଲରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର