ଦେଓଗାଁ: ଡାଇରିଆରେ୧୫୦ରୁ ଅଧିକ ଆକ୍ରାନ୍ତ

ଗାଁରେ ଡେରା ପକାଇଛି ସ୍ବାସ୍ଥ୍ୟ ବିଭାଗ,
୬୩ ଗୁରୁତର, ୫ବଡ଼ଡାକ୍ତରଖାନା ସ୍ଥାନାନ୍ତର
ପରୀକ୍ଷା ପାଇଁ ସଂଗ୍ରହ ହେଲା ପାନୀୟ ଜଳ ନମୁନା

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ବଡ଼ବନ୍ଧ ପଞ୍ଚାୟତ କରୁଆଁଝର ଗାଁରେ ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଡାଇରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଗାଁରେ ୧୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗୁରୁବାର ଠାରୁ ସ୍ବାସ୍ଥ୍ୟ ବିଭାଗ ଗାଁରେ ଡେରା ପକାଇ ଆକ୍ରାନ୍ତଙ୍କ ଚିକିତ୍ସା କରୁଛି। ୬୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପ୍ରକାଶ ଯେ, ଗୁରୁବାର ପ୍ରଥମେ ଗାଁର କାଶୀନାଥ ସାହୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କିଛି ସମୟ ମଧ୍ୟରେ ଏହା ସାରା ଗାଁକୁ ବ୍ୟାପୀ ଯାଇଥିଲା। ରାତି ପର୍ଯ୍ୟନ୍ତ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ଦେଓଗାଁ ସିଏଚସି ପକ୍ଷରୁ ସୂଚନା ଦିଆଯାଇଥିଲା। ସିଏଚ୍‌ସି ଅଧୀକ୍ଷକ ଡା. ସୁରେନ୍ଦ୍ର ପରକିଆ, ଡା. ସୁଶାନ୍ତ ମେହେର, ବିପିଓ କୁମୁଦ ରଞ୍ଜନ ଭୋଇଙ୍କ ନେତୃତ୍ବରେ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଘର ଘର ବୁଲି ଚିକିତ୍ସା ଆରମ୍ଭ କରିଥିଲେ। ଗୁରୁତର ଥିବା ଜେମାଦେଇ ବଗର୍ତ୍ତିଙ୍କୁ ଗୁରୁବାର ସନ୍ଧ୍ୟାରେ ଓ ଡୋଲେଶ୍ବରୀ ମହାକୁଡ଼ଙ୍କୁ ଶୁକ୍ରବାର ସକାଳେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ସନ୍ଧ୍ୟା ସୁଦ୍ଧା ଆଉ ୩ ଜଣଙ୍କୁ ପଠାଯାଇଛି। ଶୁକ୍ରବାର ସକାଳୁ ଗାଁର ଶ୍ରୀରାମଚନ୍ଦ୍ର ହାଇସ୍କୁଲରେ ପ୍ରାୟ ୬୩ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇଥିଲା। କରୁଆଁଝର ହାଇସ୍କୁଲକୁ ବଲାଙ୍ଗୀର ଏଡିପିଏଚ୍ଓ (ଡିସି) ନମିତା ମିଶ୍ର, ଡିପିଏଚ୍‌ସିଓ ରୀତାଞ୍ଜଳି ମିଶ୍ର ପ୍ରମୁଖ ପହଞ୍ଚି ଗ୍ରାମବାସୀ ପିଉଥିବା ପାଣି ଯାଞ୍ଚ କରିଥିଲେ। ଗ୍ରାମବାସୀଙ୍କଠାରୁ ଜାଣିବାକୁ ପାଇଥିଲେ ଯେ, ସୋନଗଡ଼ ନଦୀରୁ ଆସୁଥିବା ପାଣି ଖେଳପଡ଼ିଆ ନିକଟ ଓଭର ଟାଙ୍କିରେ ଗଚ୍ଛିତ ହେଉଛି। ସେହି ଟାଙ୍କିରୁ ଆସୁଥିବା ପାଣିରେ ବାଟରେ ନର୍ଦମା ପାଣି ମିଶୁଛି। ତାହାକୁ ତୁରନ୍ତ ବନ୍ଦ କରିବା ସହ ପାଇପ ଲାଇନ ଠିକ କରିବା, ଓଭରହେଡ଼ ଟାଙ୍କିକୁ ସଫା କରିବା ଓ ନଦୀ କୂଅରେ ବ୍ଲିଚିଂ ପାଉଡ଼ର ପକାଇ କିଛି ଘଣ୍ଟା ପରେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। କରୁଆଁଝରବାସୀ ୧୫ଟି ନଳକୂଅ ଓ ୩୨ଟି କୂଅ ଉପରେ ପିଇବା ପାଇଁ ନିର୍ଭର କରୁଛନ୍ତି। ଡା. ପରିକିଆ ଗୁରୁବାରରୁ ପିଇବା ପାଣି ବଦଳାଇବାକୁ ପରାମର୍ଶ ଦିଆଯାଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର