କରୋନା ମାନବ ସମାଜ ପ୍ରତି ସଂକଟ: ମୁଖ୍ୟମନ୍ତ୍ରୀ

ପୁରୀରେ ଖୋଲିଲା ୧୫୦ ଶଯ୍ୟାର କୋଭିଡ୍‌ ଡାକ୍ତରଖାନା

ଭର୍ଚୁଆଲ୍‌ରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ ହେବ ପରିଚାଳନା ଖର୍ଚ୍ଚ

ପୁରୀ : କରୋନା ମହାମାରୀ ମାନବ ସମାଜ ପ୍ରତି ବହୁତ ବଡ଼ ସଂକଟ ଭାବେ ଠିଆ ହୋଇଛି। ଜୀବନ ଓ ଜୀବିକା ପ୍ରତି ଘାତକ ସାଜିଛି। ଏହି ମହାମାରୀକୁ ମିଳିତ ଉଦ୍ୟମରେ ଦମନ କରିବାକୁ ପଡ଼ିବ। କରୋନାର ଶିକୁଳିକୁ ଭାଙ୍ଗିବାକୁ ପଡ଼ିବ। ସଂକ୍ରମଣମୁକ୍ତ ପରିବେଶ ପାଇଁ ଆମକୁ କରୋନାର ସମସ୍ତ ନିୟମ ଅନୁପାଳନ ‌କରିବାକୁ ହେବ। ତା’ହେଲେ ଏହି ବିପଦରୁ ଆମେ ବର୍ତ୍ତି ପାରିବା। ଜୀବନ ଓ ଜୀବିକାକୁ ନେଇ ଦେଖା ଦେଇଥିବା ବିପଦକୁ ଦୃଢ଼ ହସ୍ତରେ ଦମନ କରି ପାରିବା। ପୁରୀଠାରେ ୧୫୦ ଶଯ୍ୟାର ଅତ୍ୟାଧୁନିକ କୋଭିଡ୍‌ ଡାକ୍ତରଖାନା ଉଦ୍‌ଘାଟନ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇଛନ୍ତି।

ପୁରୀ ପୌରାଞ୍ଚଳରେ ଆଇଡିଏଚ୍‌ ପରେ ପୁରୀ ସଦର ବ୍ଲକ୍‌ ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଛାତ୍ରାବାସରେ ଆଜିଠାରୁ ଜିଲ୍ଲାର ଦ୍ବିତୀୟ କୋଭିଡ୍‌ ଡାକ୍ତରଖାନାର ଶୁଭାରମ୍ଭ କରାଯାଇଛି। ୧୫୦ ଶଯ୍ୟାର ଏହି ଡାକ୍ତରଖାନାରେ ୯୦ଟି ସାଧାରଣ ଶଯ୍ୟା ରହିଥିବାବେଳେ ୨୦ଟି ଆଇସିୟୁ ଓ ୪୦ଟି ସେମି ଆଇସିୟୁ ରହିଛି। ଏଠାରେ ଅତ୍ୟାଧୁନିକ ଲାବୋରେଟୋରି ସାଙ୍ଗକୁ ଡାଇଗ୍ନୋଷ୍ଟିକ୍‌ ବ୍ୟବସ୍ଥା ବି କରାଯାଇଛି। ଆଜି ଭର୍ଚୁଆଲ୍‌ ପ୍ଲାଟଫର୍ମରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେଏହି ଡାକ୍ତରଖାନା ଜିଲ୍ଲାର ସଂକଟାପନ୍ନ କୋଭିଡ୍‌ ରୋଗୀଙ୍କୁ ହାତପାହାନ୍ତରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇଦେବ। ଆଉ ଭୁବନେଶ୍ବର, କଟକ ଦୌଡ଼ିବାକୁ ପଡ଼ିବନି। ଡାକ୍ତରଖାନା ପରିଚାଳନାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କରାଯିବ। ୧୫୦ ଶଯ୍ୟାକୁ ଅକ୍ସିଜେନ୍‌ ପାଇପ୍‌ଲାଇନ୍‌ ସଂଯୋଗ ଦିଆଯାଇଥିବାବେଳେ ଆବଶ୍ୟକତାକୁ ଦେଖି ଆଗାମୀ ଦିନରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ଡାକ୍ତରଖାନା ପରିଚାଳନାରେ ଭୁବନେଶ୍ବର ସମ୍‌ ହସ୍‌ପିଟାଲର ସହଯୋଗର ହାତ ବଢ଼ାଇଥିବାବଳେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ।

ରାଜ୍ୟବାସୀଙ୍କୁ ସମବେଦନା ଜଣାଇବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତବର୍ଷ କରୋନା ମହାମାରୀର ପ୍ରଥମ ଲହର ରାଜ୍ୟ ଅର୍ଥନୀତିକୁ ପ୍ରଭାବିତ କରିଥିଲେ ବି ଏହାର ସଫଳ ମୁକାବିଲା କରିବାରେ ଆମେ ସମର୍ଥ ହୋଇଥିଲେ। ଚଳିତବର୍ଷ ଦ୍ବିତୀୟ ଲହରକୁ ଆମେ ଯଥା ସମ୍ଭବ ନିୟନ୍ତ୍ରଣକୁ ଆଣିବାକୁ ‌ଚେଷ୍ଟା କରିଛୁ ଓ ସଫଳ ବି ହୋଇଛୁ। ଯେଉଁଥିପାଇଁ ରାଜ୍ୟରେ ସୁସ୍ଥତା ହାର ବୃଦ୍ଧି ପାଇଛି। ଦ୍ବିତୀୟ ଲହରର ମୁକାବିଲା କ୍ଷେତ୍ରରେ ରାଜ୍ୟରେ ଉନ୍ନତ ଭିତ୍ତିଭୂମି ରହିଛି ଓ ଆଗକୁ ଆହୁରି ଉନ୍ନତ କରିବାକୁ ଚେଷ୍ଟା ଜାରି ରଖିଛୁ। ଆକ୍ରାନ୍ତଙ୍କୁ ବଞ୍ଚାଇବା ପାଇଁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ମହାମାରୀକୁ ପ୍ରତିହତ କରିବାରେ ଜନସାଧାରଣଙ୍କ ଅକୁଣ୍ଠିତ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, କ୍ରୀଡ଼ା ଓ ଯୁବ ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ସାଂସଦ ପିନାକୀ ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପଶ୍ଚିମ ଓଡ଼ିଶା ଉନ୍ନୟନ କମିସନ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର, ସମ୍‌ ହସପିଟାଲ ଅଧୀକ୍ଷକ ଡା. ପି. ସାମନ୍ତସିଂହାର, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର