ପୁରୀ: ଦିଲ୍ଲୀରୁ ପୁରୀକୁ ଆସୁଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ଟ୍ରେନ୍ରୁ ଆର୍ପିଏଫ୍ ପୁଲିସ ଆଜି ୧୫୦ଟି ଗୁଳି ଜବତ କରିଛି। ଏନେଇ ଆର୍ପିଏଫ୍ ପୁଲିସ ପକ୍ଷରୁ ଜିଆର୍ପି ଥାନାରେ ଲିଖିତ ଅଭିଯୋଗ କରିବା ସହ ଗୁଳିଗୁଡ଼ିକ ଜିମା କରାଯାଇଛି। ଜିଆର୍ପି ଏହି ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିଏ ଓ କେଉଁ ପରିସ୍ଥିତିରେ ଏହି ଗୁଳିଗୁଡ଼ିକୁ ବଗିରେ ଛାଡ଼ି ଚାଲିଯାଇଛି, ସେନେଇ ପୁଲିସ ତଦନ୍ତ ଚଳାଇଛି। ସିସି ଟିଭି ଫୁଟେଜ୍ ଏବଂ ଏହି ସିଟ୍ କାହା ନାମରେ ରିଜର୍ଭ କରାଯାଇଥିଲା, ସେ ସମ୍ପର୍କରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
ଦୀପାବଳି ଉପଲକ୍ଷେ ଆର୍ପିଏଫ୍ ପୁଲିସ ସମସ୍ତ ଟ୍ରେନ୍କୁ ଯାଞ୍ଚ କରୁଥିଲା। ଏହି ସମୟରେ ଦିଲ୍ଲୀରୁ ପୁରୀ ଆସିଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ଟ୍ରେନ୍କୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଏହାର ଏସ୍-୨ ନମ୍ବର କୋଚ୍ ଯାଞ୍ଚ ସମୟରେ ୭୩ ନମ୍ବର ସିଟ୍ରେ ସନ୍ଦେହଜନକ ଅବସ୍ଥାରେ କିଛି ପ୍ୟାକେଟ୍ ରହିଥିଲା। ଏହାକୁ ନେଇ ଆର୍ପିଏଫ୍ ପୁଲିସ ଯାଞ୍ଚ କରିବାରେ ସେଥିରୁ ଏସ୍ଏ ୦.୩୧୫ କ୍ୟାଟ୍ରିଜ୍, ୮ ଏମ୍ଏମ୍ ଗୁଳି ଏବଂ ସଫ୍ଟ ନୋଜ୍ ବୁଲେଟ୍ ମିଳିଥିଲା। ପ୍ରାୟ ଦେଢ଼ ଶହ ଅଫୁଟା ଗୁଳି ଜବତ କରିବା ପରେ ଏହି ଗୁଳିକୁ କିଏ, କେଉଁଠୁ ଓ କାହିଁକି ଆଣି ଟ୍ରେନ୍ରେ ଛାଡ଼ିଯାଇଛି ବୋଲି ପୁଲିସ ତଦନ୍ତ ଆରମ୍ଭ କରିଛି। ତଥାପି ନିୟମ ଦୃଷ୍ଟିରୁ ଆର୍ପିଏଫ୍ ପୁଲିସ ଏହାକୁ ଜିଆର୍ପି ପୁଲିସ ଜିମାରେ ଦେଇଛି। ପୁରୀ ଷ୍ଟେସନରେ ଟ୍ରେନ୍ ବଗିରୁ ଏତେ ଗୁଡ଼ାଏ ଗୁଳି ମିଳିବା ପ୍ରଥମ ଘଟଣା। କୌଣସି ସାମରିକ ବାହିନୀର ସୈନିକ ଭୁଲବଶତଃ ଏହି ଗୁଳି ଛାଡ଼ି ଯାଇଛନ୍ତି ନା କୌଣସି ଅପରାଧୀ ଏହାକୁ ବିକ୍ରି କରିବାକୁ ଆସିଥିଲା, ସେନେଇ ପୁଲିସ ଯାଞ୍ଚ କରୁଛି। ସିସି ଟିଭି ଫୁଟେଜ୍କୁ ଯାଞ୍ଚ କରିବା ସହ ଏହି ବଗିରେ କେଉଁମାନେ ଥିଲେ, ସେ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।