ଧାମରା ବସ୍ତିରେ ମାଡ଼ିବସିଛନ୍ତି ୧୫୦ କୋଟିର ସରକାରୀ ଜମି

ଆର୍‌ଡିଏ ଓ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା, ଆଗେଇ ପାରୁନି ଗୃହ ନିର୍ମାଣ ପ୍ରକଳ୍ପ

ରାଉରକେଲା: ଆଜି ସକାଳ ପ୍ରାୟ ୮ଟା। ଧାମରାବସ୍ତିର ପ୍ରାୟ ୧୫ ଡେସିମିଲ ଏକ ଜାଗାରେ ସକାଳୁ ସକାଳୁ ତୀବ୍ର ଗତିରେ ଗଢ଼ା ଚାଲିଥିଲା ବେଆଇନ ପାଚେରୀ ଓ ଘର। କାମରେ ଲାଗିଥିଲେ ଏକାବେଳକେ ୫୦ରୁ ଅଧିକ ଶ୍ରମିକ। ନିୟୋଜିତ ହୋଇଥିଲା ଦୁଇରୁ ଅଧିକ ଜେସିବି ଓ ପ୍ରାୟ ତିନିଟି ଟ୍ରାକ୍ଟର। ବୋଧହୁଏ ଲକ୍ଷ୍ୟଥିଲା ଚଟାପଟ ପାଚେରି ବା ଘର ଠିଆ କରିଦେଲେ ସେ ମୂଲ୍ୟବାନ ଜମି ସବୁଦିନ ପାଇଁ ହାତକୁ ଆସିଯିବ! ଜୋରସୋର କାମ ଚାଲିଥିବାବେଳେ ସ୍ଥାନୀୟ ଲୋକ ପ୍ରତିବାଦ କରିଥିଲେ। କିନ୍ତୁ ନିର୍ମାଣକାରୀ ଶୁଣି ନଥିଲେ। ଓଲଟା କିଛି ଯୁବକଙ୍କୁ ଲଗାଇ ପ୍ରତିବାଦକାରୀଙ୍କୁ ଧମକ ଚମକ ଦେଇଥିଲେ। ତେବେ ସେ ବେଆଇନ ନିର୍ମାଣର ଖବର ପହଞ୍ଚି ଯାଇଥିଲା ପାନପୋଷ ଉପଜିଲ୍ଲାପାଳ ଓ ରାଉରକେଲା ତହସିଲଦାରଙ୍କ ପାଖରେ।

ତହସିଲଦାରଙ୍କ ନିର୍ଦ୍ଦେଶରେ ଗଠିତ ସ୍କ୍ବାର୍ଡ ଅଚାନକ ଚଢ଼ଉ କରିଥିଲେ। ଫଳରେ ଫସର ଫାଟିଥଲା ବ୍ୟକ୍ତିଙ୍କ ସରକାର ମୂଲ୍ୟବାନ ଜମି ମାଡ଼ିବସିବା ନିଶା। ଆର୍‌ଆଇ ଓ ତାଙ୍କ ଟିମ୍‌ ଜେସିବି ଲଗାଇ ବେଆଇନ ପାଚେରୀକୁ ଭାଙ୍ଗି ମାଟିରେ ମିଶାଇଦେଇଥିଲେ। କେବଳ ଏତିକି ନୁହେଁ, ପୁର୍ନବାର ଏମିତି ବେଆଇନ କାମ କଲେ ଗିରଫ କରାଯିବ ବୋଲି ତାଗିଦ୍‌ ମଧ୍ୟ କରିଥିଲେ। କେବଳ ଏ ଗୋଟିଏ ଘଟଣା ନୁହେଁ, ବର୍ଷକ ତଳେ ସେହି ସ୍ଥାନରେ ଏଭଳି ବେଆଇନ ନିର୍ମାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପାନପୋଷ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛେଣ୍ଡ ପୁଲିସ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିଥିଲେ। ଏମିତି ଅନେକ ବେଆଇନ କାମ ଚାଲୁଥିଲେ ହେଁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ବରଂ ଜିଲ୍ଲା ପ୍ରଶାସନର କିଛି ତଳିଆ କର୍ମଚାରୀ ଭିତିରି ସଲାସୁତୁରା କରି ସରକାରୀ ଜମିରେ ବେଆଇନ ଘର ନିର୍ମାଣ କରିବାକୁ ପ୍ରୋତ୍ସାହନ ଦେଇଛନ୍ତି। ଉଲ୍ଳେଖଯୋଗ୍ୟ, ଅନେକ ବ୍ୟବସାୟୀ, ଟେଣ୍ଟହାଉସ୍‌ ମାଲିକ ଓ ଦଲାଲଙ୍କ ଟାର୍ଗେଟରେ ରହିଛି ଧାମରା ବସ୍ତିର ମୂଲ୍ୟବାନ ସରକାର ଜମି।

ସେମାନେ ଏହା ଭିତରେ ମାଡ଼ି ବସିଲେଣି ୫୦ ଏକରରୁ ଅଧିକ ଜମି। ଯାହାର ସରକାରୀ ଦର ପାଖାପାଖି ୧୫୦ କୋଟିରୁ ଅଧିକ। ସେଠାରେ ରାତି ପାହିଲେ ଗଢ଼ି ଉଠିଛି ଗୋଟିଏ ପରେ ଗୋଟିଏ ଘର। ଜାଗା ମିଶନ ଯୋଜନା ଘୋଷଣା ହେବା ପରେ ଏପରି ବେଆଇନା କାମ ଆହୁରି ବଢ଼ିଯାଇଛି। ସୂଚନା ପାଇଲେ ହିଁ ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ଚଢ଼ଉ ପକ୍ଷରୁ ଚଢ଼ଉ ହେଉଛି। ନ ହେଲେ ନିୟମିତ ବ୍ୟବଧାନରେ ଚଢ଼ଉ ହେଉନାହିଁ। ଜବରଦଖଲକାରୀମାନେ ପ୍ରଥମେ ସରକାରୀ ଜାଗାକୁ ତାରବାଡ, ସିମେଣ୍ଟ ଖୁଣ୍ଟି ପୋତି ନିଜ ଅକ୍ତିଆରକୁ ଆଣୁଛନ୍ତି। ମାସେ ଦୁଇ ମାସ ଗଲା ପରେ ସେଠାରେ ରାତିରାତି ଛିଡା ହୋଇଯାଉଛି ଏକାଧିକ ଘର। ଯାହାର ଟେର ପାଉନି ଜିଲ୍ଲା ପ୍ରଶାସନ। କିଛି ଦଲାଲ ପ୍ଲଟିଂ କରି ବିକ୍ରି ମଧ୍ୟ କରୁଛନ୍ତି। ଆଉ କିଛି ଜବରଦଖଲକାରୀ ଯେତିକି ଜାଗାରେ ଘର କରି ରହୁଛନ୍ତି, ତା’ଠାରୁ ତିନି ଗୁଣା ନିଜ ଦଖଲରେ ରଖିଛନ୍ତି। ସେଗୁଡ଼ିକୁ ପ୍ଲଟିଂ କରି ଅନ୍ୟକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି।

ଆଉ କିଛି ଦଲାଲ ଜିଲା ଓ ପୁଲିସ ପ୍ରଶାସନର କିଛି ତଳିଆ କର୍ମଚାରୀଙ୍କ ଭିତିରି ସଲାସୁତୁରା କରି ଘର ତିଆରି କରିବାକୁ ଅନୁମତି ଦେଉଛନ୍ତି। ଗୋଟିଏ ଘର ନିର୍ମାଣ ବାବଦରେ ୩୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବଟି ନେଉଛନ୍ତି। ଧାମରା ବସ୍ତିରର ଅନୁକୂଳ ଚନ୍ଦ୍ର ଓ ଏହା ସମ୍ମୁଖରେ ମନ୍ଦିର ଚତୁଃପାର୍ଶ୍ବରେ ଗତ ପ୍ରାୟ ୩/୪ ମାସ ତଳେ  ପାଖାପାଖି ୧୦ ଏକର ଜାଗା ଖାଲି ପଡିଥିଲା। ସେଠି ଏବେ ୧୦ରୁ ଅଧିକ ଘର ନିର୍ମାଣ ସରିଲାଣି। ଆଉ କିଛି ଜାଗାରେ ଘର ନିର୍ମାଣ ପାଇଁ ଖାତ ଖୋଲାଯାଇଛି। ବସ୍ତିର ମଝିରେ ଏକ ପଡ଼ିଆ ରହିଛି। ଏହା ଚତୁଃପାର୍ଶ୍ବ ଜାଗାକୁ କିଛି ଜବରଦଖଲକାରୀ ମାଡ଼ି ବସିଛନ୍ତି। ଅନୁକୁଳଚନ୍ଦ୍ର ଅଫିସ୍‌ ସମ୍ମୁଖରେ ଓ ଏହାର ଆଖପାଖରେ ସରକାରୀ ଜାଗାକୁ ମାଡ଼ିବସି ଲୋକେ ଏକ ଏକର ଜମିକୁ ନିଜ ଅକ୍ତିଆରେ ରଖିଛନ୍ତି। ସେଗୁଡ଼ିକୁ ଆର୍‌ଡିଏ ଓ ରାଉରକେଲା ତହସିଲ୍‌ ନିଜ ଅକ୍ତିଆରକୁ ଆଣିବାର ଆବଶ୍ୟକତା ରହିଛି। ପ୍ରଶ୍ନ ଉଠୁଛି ଯେ ମାସ ମାସ ଧରି ଏସବୁ ସ୍ଥାନରେ ଗୋଟିଏ ପରେ ଗୋଟିଏ ଘର ନିର୍ମାଣ ହେଉଥିଲେ ହେଁ ପ୍ରଶାସନ ନିକଟରେ କେମିତି ଖବର ପହଞ୍ଚୁନି? ନା ପ୍ରଶାସନ ଓ ଆର୍‌ଡିଏ କର୍ତ୍ତୃପକ୍ଷ ସବୁ ଜାଣି ଚୁପ୍‌  ରହୁଛନ୍ତି?

ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଉଲ୍ଲେଖଯୋଗ୍ୟ, ସହରବାସୀଙ୍କୁ ସରକାରୀ ଧାର୍ଯ୍ୟମୂଲ୍ୟରେ ଘର ଯୋଗାଇ ଦେବାକୁ ରାଜସ୍ବ ବିଭାଗ  ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ)କୁ ୧୦୮ ଏକର ଜମି ଦେଇଥିଲେ। ଆର୍‌ଡିଏ ମାତ୍ର ୫ ଏକର ଜାଗାରେ ଆବାସ ଯୋଜନା ନିର୍ମାଣ କରୁଛି। ଅବଶିଷ୍ଟ ଜମିରୁ ୫୦ ଏକର ଜମିକୁ ମାଡ଼ି ବସିଛନ୍ତି ଜବରଦଖଲକାରୀ। ଅବଶିଷ୍ଟ ପ୍ରାୟ ୫୩ ଏକର ଜମି ଖାଲି ପଡ଼ିଛି। ଯାହାକୁ ଆର୍‌ଡିଏ ନିଜ ଅକ୍ତିଆରକୁ ନ ଆଣି ସେମିତି ଛାଡିଦେଇଛି। ଯାହାର ଭରପୂର ଫାଇଦା ଉଠାଉଛନ୍ତି କିଛି ଜମି ମାଫିଆ ଓ ଅନ୍ୟ ଲୋକ। ଏବେଠୁ ଖାଲି ପଡିଥିବା ଜାଗାକୁ ନିଜ ଅକ୍ତିଆରକୁ ନ ଆଣିଲେ, ଆଗାମୀ ଦିନରେ ସବୁ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଯାଇଥିବ, ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର