ମୃତ୍ୟୁ ସଂଖ୍ୟା ୧୫୦ ଟପିଲା, ୫ ବର୍ଷ ଶିଶୁର କରୋନାରେ ମୃତ୍ୟୁ

ଦିନକରେ ୧୨୧୫ ଆକ୍ରାନ୍ତ,‌ ସୁସ୍ଥ ହେଲେ ୬୮୭

ଭୁବନେଶ୍ବର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୫୦ ଟପିଛି। ଆଜି ଆଉ ୭ଜଣଙ୍କ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଘୋଷଣା ହେବା ପରେ ମୋଟ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଛି। ତେବେ ପ୍ରଥମଥର ଲାଗି ଜଣେ ୫ବର୍ଷର ଶିଶୁ କରୋନାରେ ପ୍ରାଣ ହରାଇଛି। ଗତ ଏପ୍ରିଲ ମାସରେ ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଧାରେ ୧୯ ଓ କଟକରେ ୧୧ଜଣଙ୍କ ମୃତ୍ୟୁ ହୋଇଛି। କରୋନା ମୃତ୍ୟୁ ରାଜ୍ୟର ୧୮ଟି ଜିଲ୍ଲାକୁ ଛୁଇଁ ସାରିଲାଣି।

ଆଜି ଘୋ‌ଷଣା ହୋଇଥିବା ୭ଜଣଙ୍କ ମଧ୍ୟରୁ ୩ଜଣ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ୫୫, ୫୬ ଓ ୩୯ବର୍ଷର ଯୁବକଙ୍କ ଭୂତାଣରେ ପ୍ରାଣ ଯାଇଛି। ରାୟଗଡ଼ା ଜିଲ୍ଲା ୭୨ବର୍ଷର ମଧୁମେହର ପୀଡ଼ିତ ପୁରୁଷ ଓ ୩୧ବର୍ଷର ପୁରୁଷ କରୋନାର ଶିକାର ହୋଇଛନ୍ତି। କଟକ ଜିଲ୍ଲାର ୪୫ ବର୍ଷର ପୁରୁଷ ଆଜ୍‌ମା ଓ ମଧୁମେହରେ ପୀଡ଼ିତ ଥିବା ବେଳେ ଭୁବନେଶ୍ବରର ୫ବର୍ଷର ଶିଶୁ ମସ୍ତିଷ୍କ ସମସ୍ୟା ଓ ମଧୁମେହରେ ଆକ୍ରାନ୍ତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଏମାନଙ୍କ ମୃତ୍ୟୁ ହୋଇଯାଇଛି। ସେହିପରି ବାଲେଶ୍ବର ଜିଲ୍ଲାର ୧୬ ବର୍ଷର ନାବାଳକ ରକ୍ତ କର୍କଟ‌ ରୋଗରେ ପ୍ରାଣ ହରାଇଛି। ନାବାଳକ ମୃତ୍ୟୁର ପ୍ରାଥମିକ କାରଣ କୋଭିଡ୍‌ ନ ଥିବାରୁ ଏହି ମୃତ୍ୟୁକୁ ଅଣକୋଭିଡ୍‌ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି। ରାଜ୍ୟରେ ଏଭଳି ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି। ଏଥିରେ ଖୋର୍ଧା ଜି ଚଲ୍ଲାର ସର୍ବାଧିକ ୮ଜଣ ଥିବା ବେଳେ ଗଞ୍ଜାମର ୬ଜଣ ରହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୧୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ୩୩୨, ଖୋର୍ଧା ୩୧୨ ସଂକ୍ରମିତ ସହ ଆଗରେ ରହିଛନ୍ତି। ଗଞ୍ଜାମରେ ୪୫ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଏହାବାଦ୍ ଗଜପତି ୮୯, କେନ୍ଦୁଝର ୭୭, କୋରାପୁଟ ୭୩, କଟକ ୬୦, ଜଗତ୍‌ସିଂହପୁର ୪୭, ବାଲେଶ୍ବର ୨୯, ରାୟଗଡ଼ା ୨୪, ମୟୂରଭଞ୍ଜ ୨୨, ବଲାଙ୍ଗୀର ୨୧, ଯାଜପୁର ୨୦, କନ୍ଧମାଳ, ମାଲକାନଗିରି ଓ କେନ୍ଦ୍ରାପଡ଼ା ୧୪ଜଣ ଲେଖାଏଁ, ଅନୁଗୁଳ ଓ ପୁରୀରୁ ୧୧ଜଣ ଲେଖାଏଁ, ନୂଆପଡ଼ା ଓ କଳାହାଣ୍ଡିରୁ ୮ଜଣ ଲେଖାଏଁ, ନୟାଗଡ଼ା ୭, ସୁନ୍ଦରଗଡ଼, ଭଦ୍ରକ, ସୋନପୁର, ଝାରସୁଗୁଡ଼ା ଓ ବୌଦ୍ଧରୁ ୨ଜଣ ଲେଖାଏ, ଢେଙ୍କାନାଳ ଓ ଦେବଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ୧୨୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୩ଜଣ ସଙ୍ଗରୋଧରୁ ଓ ୪୬୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧୦୭ରେ ପହଞ୍ଚିଛି। ତହିଁରେ ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩୭୨ ରହିଛି। ତେବେ ଜୁଲାଇ ମାସରେ ଓଡ଼ିଶାରେ କରୋନାର ଦୈନିକ ବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିଛି। ଜାତୀୟସ୍ତରରେ ବୃଦ୍ଧି ହାର ୩.୩୨ ପ୍ରତିଶତ ଥିବା ବେଳେ ରାଜ୍ୟରେ ୪.୫୧ ପ୍ରତିଶତ ରହିଛି। ସେହିପରି ଦେଶରେ ଟିପିଆର ୯.୦୩ ପ୍ରତିଶତ ଥିବା ବେ‌ଳେ ରାଜ୍ୟରେ ଏହା ୧୩.୩୩ ପ୍ରତିଶତ ରେକର୍ଡ କରାଯାଇଛି। ‌ଏହାସହ କରୋନା ମୃତ୍ୟୁ ହାର ଦେଶରେ ୨.୨୫ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୦.୫୪ ପ୍ରତିଶତ ରହିଛି। ଯାହାକି ଜାତୀୟ ହାରଠାରୁ ମଧ୍ୟ ଯଥେଷ୍ଟ କମ୍।

ଅପରପକ୍ଷରେ ଆଜି ୬୮୭ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମର ୩୦୭ଜଣ ଥିବା ବେଳେ ଜଗତ୍‌ସିଂହପୁର ୫୯ଜଣ ରହିଛନ୍ତି। ଏହାସହ ଭଦ୍ରକ ୫୨, ନୟାଗଡ଼ ୩୫, ଝାରସୁଗୁଡ଼ା ୩୦, ଯାଜପୁର ୨୫, କଟକ ୨୪, ଗଜପତି ୨୩, ମାଲକାନଗିରି ୧୮, କୋରାପୁଟ ୧୭, କନ୍ଧମାଳ ୧୬, କେନ୍ଦୁଝର ୧୪, ବରଗଡ଼ ୧୨, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୧୧ଜଣ ଲେଖାଏଁ, ରାୟଗଡ଼ା ୧୦, ଅନୁଗୁଳ ୫, ନବରଙ୍ଗପୁର ୩, କଳାହାଣ୍ଡି ୨, ବଲାଙ୍ଗୀର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୮୦୬୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର